ପାହାଡ଼ଶ୍ରୀଗିଡ଼ାରେ ଚାଞ୍ଚଲ୍ୟ: ୨୪ ଘଣ୍ଟାରେ ୨ ହତ୍ୟାକାଣ୍ଡ-୨ ଗିରଫ

ବରଗଡ,ଏନ୍ଏନ୍ଏସ୍: ଅତାବିରା ଥାନା ପାହାଡ଼ଶ୍ରୀଗିଡ଼ା ଗ୍ରାମରେ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କୁ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ଜଣାପଡ଼ିଛି ଯେ, ଶନିବାର ରାତିରେ ଅତାବିରା ଥାନା ପାହାଡ଼ଶ୍ରୀଗିଡ଼ା ଦଶଡ଼ାବ୍ରିଜରେ ରହୁଥିବା ବୃନ୍ଦାବତୀ ଖଡ଼ିଆଙ୍କୁ ତାର ଦିଅର ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ବୃନ୍ଦାବତୀଙ୍କ ସ୍ୱାମୀ ଅର୍ଜୁନ ଖଡ଼ିଆ ରାତିରେ ବିଲକୁ ଫସଲ ଜଗିବାକୁ ଯାଇ ସକାଳୁ ଘରକୁ ଫେରି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ଏ ନେଇ ଅତାବିରା ପୁଲିସ ବୃନ୍ଦାବତୀଙ୍କ ଦିଅର ଅଜେଶଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସେହିପରି ଶନିବାର ସକାଳେ ଜଣେ ଯୁବକ ନିଜ ପିତାକୁ ପାହାଡ଼ଶ୍ରୀଗିଡ଼ା ଗ୍ରାମକୁ ନେଇ କଚାଡି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ବରଗଡ଼ ସହର ନିକଟସ୍ଥ ବରଡୋଲ ଗ୍ରାମର ସୌକିଲାଲ ସେଠ(୫୮)। ସୌକିଲାଲଙ୍କୁ ସାନ ପୁଅ ପ୍ରଦୀପ ଓ ଜଣେ ସାଥି ମୋଟରସାଇକେଲ ଆଣି ପାହାଡ଼ଶ୍ରୀଗିଡ଼ାରେ ଥିବା ତାଙ୍କ ବଡ଼ ପୁଅ ପ୍ରମୋଦଙ୍କ ଶ୍ୱଶୁର ଘରେ କଚାଡି ହତ୍ୟା କରିଛନ୍ତି। ଏ ନେଇ ପ୍ରମୋଦ ଅତାବିରା ପୁଲିସରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ। ପରେ ପୁଲିସ ପ୍ରଦୀପ ସେଠ ଓ ତାଙ୍କ ସହଯୋଗୀ ବିକ୍ରମ ପ୍ରଧାନଙ୍କୁ ଗିରଫ କରିଛି।