ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ୪ ବଖରା ଘର

ଗୋଛାପଡା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳଦଣ୍ଡିକିଆ ପଂଚାୟତର ପାଦେରିପଡା ଗ୍ରାମରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଚାରିବଖରା ଘର ଜଳିଯାଇଥିବା ପ୍ରକାଶ। ଖବରପାଇ ଫିରିଙ୍ଗିଆ ଦମକଳ ବାହିନି ପହଂଚି ନିଆଁକୁ ଆୟତ କରିଥିଲେ। ଶୁକ୍ରବାର କୌଣସି କାରଣରୁ ଏହି ପାଦେରିପଡା ଗ୍ରାମର ସତ୍ୟପ୍ରକାଶ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଯାଇଥିଲା। ପରେ ନିଆଁଟି ସତ୍ୟପ୍ରକାଶଙ୍କ ଘରକୁ ଲାଗି ରହିଥିବା ବିଶ୍ୱନାଥ ବିନ୍ଧାଣି ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ମଧ୍ୟ ବ୍ୟାପିବାରେ ଲାଗିଥିଲା।

ନିଆଁର ଭୟାବହତା ପ୍ରଖର ଥିବାରୁ ଗାଁ ଲୋକେ ନିଆଁଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ପରେ ଗ୍ରାମବାସୀ ଫିରିଙ୍ଗିଆ ଅଗ୍ନିଶମ ବାହିନିଙ୍କୁ ଯୋଗାଯୋଗ କରିଥିଲେ। ଫିରିଙ୍ଗିଆ ଅଗ୍ନିଶମ ଅଧିକାରୀ ଚିନ୍ମୟ କୁମାର ବାରିକଙ୍କ ସହ ଫାୟାରମ୍ୟାନ୍ ସରୋଜ କୁମାର ମହାପାତ୍ର, ଧିରେନ୍ଦ୍ର ବେହରା, ସୁବୋଧ ସେନାପତି, ରମାକାନ୍ତ ପଣ୍ଡା ଓ ସଞ୍ଜୟ ନାଏକ ପ୍ରମୁଖ ତୁରନ୍ତ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ।

ନିଆଁ ଲାଗି ସତ୍ୟପ୍ରକାଶ ପ୍ରଧାନଙ୍କ ୩ ବଖରା ଘର ପୋଡି ଯାଇଥିବାବେଳେ ବିଶ୍ୱନାଥ ବିନ୍ଧାଣୀଙ୍କର ଗୋଟିଏ ବଖରା ଘର ପୋଡିଯିବା ସହିତ ଆସବାବ ପତ୍ର, ଘରେ ଥିବା ଧାନ ଚାଉଳ ସବୁ ନଷ୍ଟ ହୋଇଯାଇଥିବା ବେଳେ ପୋଡି ହୋଇ ନଷ୍ଟ ହୋଇଯାଇଥିବା ସମାନର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି। ଘର ପୋଡି ଯାଇଥିବାରୁ ପରିବାର ଲୋକେ ପ୍ରଚଣ୍ଡ ଖରାରେ ନାହିଁନଥିବା ଆସୁବିଧାର ସମ୍ମୁଖିନ ହେଉଥିବା ବେଳେ ଏହି ଦୁଇ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ଲୋକଙ୍କ ସହ ଗ୍ରାମବାସୀ ନିବେଦନ କରିଛନ୍ତି।