ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ବୁର୍ଖା ବାଧ୍ୟତାମୂଳକ କଲା ତାଲିବାନ

କାବୁଲ,ଏଜେନ୍ସି: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ମୌଳବାଦୀ ଶାସନରେ ମହିଳାଙ୍କ ଅଧିକାର ସଙ୍କୁଚିତ ହେବାର ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା କ୍ରମାଗତ ଭାବେ ବାସ୍ତବରେ ପରିଣତ ହେବାରେ ଲାଗିଛି। ଆଫଗାନିସ୍ତାନରେ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ବୁର୍ଖା ପରିଧାନ କରିବା ବାଧ୍ୟତାମୂଳକ କରିଛି ତାଲିବାନ ସରକାର। ମହିଳାମାନେ ସମ୍ପୂର୍ଣ୍ଣ ବୁର୍ଖା ପରିଧାନ କରିବା ନେଇ ତାଲିବାନ ମୁଖ୍ୟ ହବିତୁଲ୍ଲା ଅଖୁନ୍ଦଜାଦା ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଏପରି ନିୟମକୁ ଉଲଙ୍ଘନ କଲେ କଠୋର ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି।

କ୍ଷମତାକୁ ଆସିବା ପରେ ତାଲିବାନ ଏକ ନିର୍ଦ୍ଦେଶନାମା ଜାରି କରିଥିଲା, ଯେଉଁଥିରେ ମହିଳାମାନେ ଦୂରଯାତ୍ରା କରିବାକୁ ଥିଲେ ଏକାକି ନୁହଁନ୍ତି ବରଂ ଜଣେ ସମ୍ପର୍କୀୟ ପୁରୁଷଙ୍କ ସାଥିରେ ଯିବା ବାଧ୍ୟତାମୂଳକ କରାଯାଇଥିଲା। ସେହିପରି ଉଚ୍ଚଶିକ୍ଷା ପାଇଁ କଲେଜ କିମ୍ବା ବିଶ୍ବ ବିଦ୍ୟାଳୟ ଯାଉଥିବା ମହିଳାଙ୍କୁ ପୁରୁଷଙ୍କ ସହ ଗୋଟିଏ ଶ୍ରେଣୀରେ ବସି ପାଠ ପଢିବା ପରବର୍ତ୍ତେ ପରଦା ଟାଣିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା। ପୁଣି ଏପରି ଏକ କଠୋର ନିୟମ ପ୍ରଣୟନ କରି ମହିଳାଙ୍କ ମାନବାଧିକାରକୁ ସଙ୍କୁଚିତ କରିବାରେ ଲାଗିଛି ତାଲିବାନ।

ଗତବର୍ଷ ଅଗଷ୍ଟରେ ଆଫଗାନିସ୍ତାନରେ ଅସରଫ ଘନି ସରକାରକୁ କ୍ଷମତାଚ୍ୟୁତ କରିବା ପରେ କ୍ଷମତାକୁ ଆସିଥିବା ତାଲିବାନ ସରିଆ କାନୁନ ଅନୁସାରେ ମହିଳାଙ୍କ ଉପରେ ଏକାଧିକ କଟକଣା ଲାଗୁ କରିସାରିଛି। ମହିଳାଙ୍କ ମାନବାଧିକାର ଓ ଶିକ୍ଷାଗତ ଅଧିକାର କ୍ଷୂର୍ଣ୍ଣ ହେବା ନେଇ ବିଭିନ୍ନ ଦେଶସମୂହ ଆପତ୍ତି ଉଠାଇଥିବା ବେଳେ ମହିଳାଙ୍କୁ ସେମାନଙ୍କ ସ୍ବାଭିମାନ ସହ ବଞ୍ଚିବାକୁ ଦିଆଯିବ ବୋଲି ତାଲିବାନ ଘୋଷଣା କରିିଥିଲା। କିନ୍ତୁ କାଳକ୍ରମେ ଏକାଧିକ ଇସଲାମୀୟ ମୌଳବାଦୀ କଟକଣା ଲଗାଇବାରେ ଲାଗିଛି ତାଲିବାନ।