ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନା ନେଉ ନାହିଁ। ଅବକାରୀ ବିଭାଗ ଯେତେ କଡା ହେଲେ ମଧ୍ୟ ଚାଲାଣକାରୀ ପାଦେ ଆଗରେ ରହିଥିବା ଆଜିର ଚୋରା ଚାଲାଣ ବେଳେ ଜବତ ହୋଇଥିବା ଗଞ୍ଜାଇ ଏବଂ ଟ୍ରକରୁ ସ୍ପଷ୍ଟ ହୋଇଛି।
ସୂଚନା ଅନୁଯାୟୀ ଅବକାରୀ ବିଭାଗ ତରଫରୁ ଆଜି ଅମଲାଭଟା ଠାରୁ ଥେରୁବାଲି ରାସ୍ତାରେ ପାଟ୍ରୋଲିଂ ଚାଲିଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ ଟ୍ରକ ରହିଥିଲା। ବହୁ ସମୟ ଧରି ଟ୍ରକର ଡ୍ରାଇଭର କିମ୍ବା ହେଲ୍ପରର ଦେଖା ନ ମିଳିବାରୁ ସନ୍ଦେହ ବଢିଥିଲା। ପରେ ଟ୍ରକକୁ ତଲାସି କରିବା ବେଳେ ଏକ ଅଭିନବ ଉପାୟରେ କେବିନ ଉପର ଭାଗରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରି ଗଞ୍ଜେଇ ଚାଲାଣ ହେଉଥିବା ନଜରକୁ ଆସିଥିଲା।
ଗଞ୍ଜେଇ ନଜରକୁ ଆସିବା ପରେ ଏକଜିକ୍ୟୁଟିଭ ମାଜିଷ୍ଟେଟ କୋଲନରା ତହସିଲଦାର ମାନସି ନାୟକଙ୍କ ଉପସ୍ଥିତିରେ ଟ୍ରକକୁ ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇ ଆକଳନ କରାଯିବା ପରେ ୪ କୁଇଣ୍ଟାଲ ୩୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ୫୫ ହଜାର ନେଇ ସୂଚନା ଦେଇଛନ୍ତି।