ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଆଜି ଦେବଗଡ଼ ଜିଲ୍ଲାର ପୌରାଞ୍ଚଳ ସମେତ ୩ଟି ବ୍ଲକରୁ ସମ୍ବଲପୁର-ସିରିଡ଼ି-ନାସିକ- ତ୍ରୟମ୍ବକେଶ୍ୱର ଅଭିମୁଖେ ୩୨ଜଣ ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱତନ୍ତ୍ର ବସ ଯୋଗେ ଅପରାହ୍ନରେ ୩୨ଜଣ ବରିଷ୍ଠ ନାଗରିକ ସମ୍ବଲପୁର ବାହାରିଥିବାବେଳେ ଆସନ୍ତାକାଲି ସକାଳେ ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନଯୋଗେ ସିରିଡ଼ି -ନାସିକ-ତ୍ରୟମ୍ବକେଶ୍ୱର ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ କରିବେ । ଏଥିପାଇଁ ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଜରୁରୀକାଳୀନ ଔଷଧ ପ୍ରଦାନ କରି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ ଓ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ଉପନଗରପାଳ ପ୍ରଜିତ ଭୋଜଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଗାଇଡ଼ ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର ତୀର୍ଥଯାତ୍ରୀଙ୍କ ସହ ଯାତ୍ରା କରିଛନ୍ତି । ଅନ୍ୟପଟେ ଏହି ତୀର୍ଥଯାତ୍ରାରେ ସାମିଲ ହୋଇଥିବା ବରିଷ୍ଠ ନାଗରିକବୃନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସେମାନଙ୍କ ତୀର୍ଥଯାତ୍ରା ସଫଳ ହୋଇଥିବା ପ୍ରକାଶ କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ।