ନବରଙ୍ଗପୁର,ଏନ୍ଏନ୍ଏସ୍: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ନବରଙ୍ଗପୁରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସହରର ଚାମୁରିଆଗୁଡ଼ାରେ ଡ୍ରାଇଭରମାନେ ଏକତ୍ରିତ ହୋଇ ଆନ୍ଦୋଳନ କରୁଥିବାବେଳେ ସ୍ଥାନୀୟ ଥାନାଧିକାରୀ ନରେଶ ପ୍ରଧାନ ପହଞ୍ଚି ଆନ୍ଦୋଳନରୁ ଓହରିଯିବାକୁ ପରାମର୍ଶ ଦେଇଛନ୍ତି । ୧୨ଦଫା ଦାବୀ ନେଇ ପୂର୍ବରୁ ବାରମ୍ବାର ଆନ୍ଦୋଳନ କରିଆସିଛୁ ବୋଲି ଡ୍ରାଇଭର ସଂଘ ପକ୍ଷରୁ କୁହାଯିବା ସହ ଆଗମୀ ଦିନରେ ଦାବୀ ପୂରଣ ନହେଲେ ସପରିବାର ରାଜରାସ୍ତାରେ ବସିବୁ ବୋଲି ସଂଘ ସାଧାରଣ ସମ୍ପାଦକ ଶୁଭମ ରାଓ ଚେତାବନୀ ଦେଇଛନ୍ତି । ଏନେଇ ଶାନ୍ତି ଶୃଙ୍ଖଳ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଜନସାଧାରଣଙ୍କ ଜୀବନ ଯାତ୍ରା ସ୍ୱାଭାବିକ କରାଯିବାକୁ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଶତାଧିକ ଡ଼୍ରାଇଭର ସହରରେ ବାଇକ ରାଲି କରିବା ସହ ରାସ୍ତାକଡ଼ରେ ଛିଡ଼ା ହୋଇ ଅନ୍ୟ ଡ଼୍ରାଇଭରଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।