କୋରାପୁଟ, ଏନ୍ଏନ୍ଏସ୍: କୋରାପୁଟ ଟାଉନ ଥାନା ପୁଲିସ ବୁଧବାର ସଂନ୍ଧ୍ୟାରେ ଏକ କଦଳୀ ବୋଝେଇ ଟ୍ରକରୁ ୩୧୦ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଉକ୍ତ ଟ୍ରକରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା କୋରାପୁଟ ଟାଉନ ଥାନା ପୁଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ଥାନା ଅଧିକାରୀ ପୀତବାସ ଧାରୁଆ, ସବ-ଇନସ୍ପେକ୍ଟର ସୁଦର୍ଶନ ଅଧିକାରୀ, ଏଏସଆଇ ଅକ୍ଷୟ ମିଶ୍ର ଓ ଅନ୍ୟମାନେ ୨୬ ନଂ ଜାତୀୟ ରାଜପଥର ଲାଣ୍ଡିଗୁଡା-ଓଏସଏପି ୩ୟ ବାଟାଲିଅନ ନିକଟରେ ଜଗି ରହିଥିଲେ। ଟ୍ରକ ଆସିବା ମାତ୍ରେ ଅଟକାଇ ଯାଞ୍ଚ କରି ଗାଡିରୁ ୩୧୦ କେଜି ଗଞ୍ଜେଇ ଜବତ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରିବାସହ ମଧ୍ୟପ୍ରଦେଶର କ୍ରିଷ୍ନା ଦ୍ୱିବେଦୀ ଓ ଶାହାଉଲ୍ଲା ସିଦ୍ଦିକିଙ୍କୁ ଗିରଫ କରିଛି।