ଫୁଲବାଣୀ,ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ବୁଡ଼ୁରିକିଆ ପଞ୍ଚାୟତର ମାଦିନାଟ ପସାରି ସାହିର ରିପାବତୀ ମଲିକ (୪୫) ୩ ବର୍ଷ ହେଲା ଖଟିଆରେ ପଡ଼ିରହି କଷ୍ଟ ପାଉଛନ୍ତି। ଅର୍ଥ ଅଭାବରୁ ଚିକିତ୍ସା କରିପାରୁନାହାଁନ୍ତି। ସ୍ୱାମୀ ଦିନମଜୁରିଆ ଭାବେ ଯାହା ରୋଜଗାର କରିନ୍ତି ସେଥିରେ ପରିବାର ଚଳେ। ରୋଜଗାର ତୁଳନାରେ ଖର୍ଚ୍ଚ ଅଧିକ। ରୁପାବତୀଙ୍କ ସ୍ୱାମୀ ନଜିରା ମଲିକଙ୍କ କହିବା ଅନୁସାରେ , ସେ ପ୍ରଥମେ ତାଙ୍କୁ ସ୍ତ୍ରୀକୁ ବାଲିଗୁଡ଼ା ନେଇଥିଲେ। ସେଠାରେ ମେଡ଼ିକାଲ କର୍ତ୍ତୃପକ୍ଷ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ସେ ଫୁଲବାଣୀ ଆଣିଥିଲେ ମଧ୍ୟ ଏଠାରେ ଏହି ଚିକିତ୍ସା ସମ୍ଭବ ନୁହେଁ କହି ତାଙ୍କୁ ବ୍ରହ୍ମପୁର ଯିବାକୁ କହିଥିଲେ। ତେବେ ଅର୍ଥ ଅଭାବରୁ ଆଜିକୁ ତିନିବର୍ଷ ବିତିଗଲାଣି ସ୍ତ୍ରୀ ରୁପାବତୀଙ୍କୁ ବ୍ରହ୍ମପୁର ଚିକିତ୍ସା ପାଇଁ ନେଇ ପାରୁନାହାଁନ୍ତି ବୋଲି ସେ କହିଛନ୍ତି। ଏଭଳିସ୍ଥଳେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟିଦେଇ ପଦକ୍ଷେପ ନେବା ସହିତ ରୁପାବତୀଙ୍କ ଚିକିତ୍ସାରେ ସହଯୋଗ କରିବା ପାଇଁ ସ୍ୱମାୀ ସମେତ ଗ୍ରାମବାସୀ ଅନୁରୋଧ କରିଛନ୍ତି।