ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ : ୩ ଗୁରୁତର

ନବରଙ୍ଗପୁର, ଏନ୍ଏନ୍ଏସ୍: ଜମି ବିବାଦକୁ ନେଇ ପାପଡାହାଣ୍ଡି ଥାନା ମହୁଲି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ତୁମ୍ବର୍ଲା ପଞ୍ଚାୟତ ମହୁଲି ଗାଁରେ ଠାକୁରାଣୀଙ୍କ ୪ ଏକର ଚାଷ ଜମିକୁ ନେଇ ଠାକୁରାଣୀ ମନ୍ଦିର ପୂଜକ ଓ ଗ୍ରାମବାସୀଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉଭୟ ଗୋଷ୍ଠୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ।

ଠାକୁରାଣୀଙ୍କ ଜମି ଅଞ୍ଚଳରେ ଅଦାଲତ ଧାରା ୧୪୪ ଲାଗୁ କରିଥିଲେ। ବର୍ତ୍ତମାନ ଏହି ଜମି ବିବାଦ ନବରଙ୍ଗପୁର ଅଦାଲତରେ ବିଚାରାଧୀନ ରହିଛି। ତଥାପି ମହୁଲି ଗ୍ରାମବାସୀ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଚଳିତବର୍ଷ ଉକ୍ତ ବିବାଦିତ ଜମିରେ ଧାନ ଫସଲ କରିଥିଲେ। ଏବେ ଗ୍ରାମବାସୀ ଫସଲ କାଟିବାକୁ ଆରମ୍ଭ କରିବା ସମୟରେ ମନ୍ଦିରର ପୂଜକ ଥିବା ଯାନୀ ପରିବାର ଫସଲ କାଟିବା ପାଇଁ ଗ୍ରାମବାସୀଙ୍କୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଉଭୟଙ୍କ ପକ୍ଷରୁ ପାପଡାହାଣ୍ଡି ଥାନାରେ ଏତେଲା ଦିଆଯାଇଛି।