କୋରାପୁଟ,ଏନ୍ଏନ୍ଏସ୍: ଆନ୍ଧ୍ର ସୀମାନ୍ତ ଏନୁଗୁ ଅଞ୍ଚଳରୁ ଏକ ଟ୍ରକ୍ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୁଲିସ ଏହାକୁ ଜବତ କରିଛି। କୋରାପୁଟ ଜିଲ୍ଲା ମାଛକୁଣ୍ଡରେ ୩ କ୍ୱିଣ୍ଟାଲ ୨୧ କେଜିର ଗଞ୍ଜେଇ ଜବତ ହୋଇଥିବା କୋରାପୁଟ ଏସପି ମୁକେଶ ଭାମୋ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ଅନ୍ତରାଜ୍ୟରେ ୩୦ ଲକ୍ଷ ଟଙ୍କା ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ୧୦ ଲକ୍ଷ ଟଙ୍କାର ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଗଞ୍ଜେଇ ଚାଲାଣ ଖବର ପାଇବା ପରେ ଏସପି ମୁକେଶ ଭାମୋ ନନ୍ଦପୁର ଏସଡିପିଓଙ୍କୁ ସୂଚନା ଦେଇଥିଲେ। ଏସପିଙ୍କ ସୂଚନା ଆଧାରରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ରାତ୍ରି ପାଟ୍ରୋଲିଂ କରିଥଲେ। ଏନୁଗୁ ଅଞ୍ଚଳରୁ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବାବେଳେ ପୁଲିସ ଏହାକୁ ଅଟକାଇ ଯାଞ୍ଚ କରିଥଲା।
ସେହି ଟ୍ରକରୁ ପ୍ରାୟ ୩ କ୍ୱିଣ୍ଟାଲ ୨୧ କେଜି ଗଞ୍ଜେଇ ରହିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲେ। ତା ସହ ରାୟପୁର ଅଞ୍ଚଳର ବିପିନ ମିଶ୍ରା ଓ ଅରୁଣ ଦୁବେ ନାମକ ୨ଜଣ ଡ୍ରାଇଭରକୁ ମଧ୍ୟ ପୁଲିସ ଗିରଫ କରିଥିଲା। ଜବତ ଗଞ୍ଜେଇ ଆନ୍ଧ୍ରପ୍ରଦେଶ ଏନୁଗୁ ଅଞ୍ଚଳରୁ ଲମତାପୁଟ, ଜୟପୁର, ରାୟପୁର ଦେଇ ଉତ୍ତର ପ୍ରଦେଶ ଅଞ୍ଚଳକୁ ଚୋର ଚାଲାଣ ହେଉଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।