ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ କରୋନା ସଂକ୍ରମଣ ହାର କମିନଥିବାବେଳେ ସରକାର ସବୁ କିଛି ସକ୍ରିୟ କରିବା ନେଇ ଘୋଷଣା କରିଛନ୍ତି। କରୋନା ମହାମାରୀ ସମୟରେ ଅର୍ଥନୀତି ବହୁମାତ୍ରାରେ ପ୍ରଭାବିତ ହୋଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବାବେଳେ ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ଚିନ୍ତା କରିଛନ୍ତି। ଏନେଇ ଦିଲ୍ଲୀ ସରକାର ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି।
କୋଭିଡ୍ ହଟସ୍ପଟ୍ ବଜାର ବନ୍ଦ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ସେହିପରି ପୂର୍ବରୁ ଦିଲ୍ଲୀରେ ବିବାହ ଉତ୍ସବରେ ୨୦୦ ଲୋକଙ୍କ ସମାଗମ ପାଇଁ ସରକାର ଅନୁମତି ଦେଇଥିଲେ କିନ୍ତୁ ଏବେ ସରକାର ଏହି ଅନୁମତି ପ୍ରତ୍ୟାହାର କରିନେଇଛନ୍ତି। ଆଗକୁ ମାତ୍ର ୫୦ ଜଣ ହିଁ ବିବାହ ଉତ୍ସବରେ ଯୋଗ ଦେବେ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ପ୍ରଶାସନ କିଛିଦିନ ହେବ କୋଭିଡ୍ ହଟସ୍ପଟ୍ ବଜାର ଉପରେ ନଜର ରଖିଛନ୍ତି ଏବଂ ଏଭଳି ବଜାରକୁ ସିଲ୍ କରାଯିବାକୁ ପ୍ରସ୍ତାବ ପଠାଇବେ। ବାହାର ରାଜ୍ୟରୁ ଆସୁଥିବା ସଂକ୍ରମିତ ବ୍ୟକ୍ତିମାନେ ବି ଦିଲ୍ଲୀର ସମସ୍ୟା ବଢ଼ାଉଛନ୍ତି।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ କେତେକ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି କେଜ୍ରିୱାଲ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ଉପଲବ୍ଧ ଅଛି କିନ୍ତୁ ଆଇସିୟୁ ବେଡର ଅଭାବ ଦେଖାଦେଇଛି ବୋଲି କେଜ୍ରିୱାଲ୍ କହିଛନ୍ତି। ଏଭଳି ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସରକାର ସହଯୋଗ କରୁଛନ୍ତି ବୋଲି କେଜ୍ରିୱାଲ୍ କହିଛନ୍ତି।