‘ପୂର୍ବାଞ୍ଚଳ ଏକ୍ସପ୍ରେସ୍‌-ୱେ’ରେ ଡିଭାଡରକୁ ଧକ୍କା ଦେଇ ଜଳିଗଲା କାର୍‌, ଜୀଅନ୍ତା ଜଳିଲେ ୩ ଜଣ

ସୁଲତାନପୁର,ଏଜେନ୍ସି: ଉତ୍ତର ପ୍ରଦେଶର ‘ପୂର୍ବାଞ୍ଚଳ ଏକ୍ସପ୍ରେସ୍‌-ୱେ’ରେ ରବିବାର ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ଡିଭାଡରକୁ ଜୋର୍‌ରେ ଧକ୍କା ଦେଇଛି। ଦୁର୍ଘଟଣାରେ ଭୀଷଣ ନିଆଁ ଜଳିଛି। ଫଳରେ କାର୍‌ରେ ଯାଉଥିବା ୩ ଜଣ ଲୋକ ଜୀଅନ୍ତା ଜଳିଯାଇଛନ୍ତି।

ଏକ୍ସପ୍ରେସ୍‌-ୱେ ନିକଟ ଗାଁ ଲୋକେ କାର ଜଳୁଥିବା ଦେଖି ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେମାନେ ଦମକଳ ବିଭାଗକୁ ଦୁର୍ଘଟଣା ସଂପର୍କିତ ସୂଚନା ଦେଇଥିଲେ। ଏହି ସମୟରେ କାର୍ ଭିତରେ ଥିବା ଲୋକେ ଛଟପଟ ହୋଇ କେବଳ ଚିତ୍କାର କରୁଥିଲେ। କିନ୍ତୁ ଆଖିଆଗରେ ଲୋକମାନେ ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିଲେ ମଧ୍ୟ ଗାଁ ଲୋକଙ୍କ ପାଖରେ ବଞ୍ଚାଇବାକୁ ଆଉ କୌଣସି ଉପାୟ ନଥିଲା। କାରଣ କାର୍‌ରେ ଭୀଷଣ ଭାବରେ ନିଆଁ ଲାଗିଥିଲା। ତିନି ଜଣ ଲୋକ ଜୀଅନ୍ତା ଜଳିଯାଇଥିଲେ।

ଗୋସାଇଗଞ୍ଜ ଥାନା ଅନ୍ତର୍ଗତ ଅରୱଲ କିରି କରୱତ ଗାଁ ନିକଟରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଥିଲା। ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଲଖନଉରୁ ଗାଜିପୁର ପଟକୁ ଯାଉଥିବା କାର ଅନିୟନ୍ତ୍ରିତ ହୋଇ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେର ଡିଭାଇଡରକୁ ଧକ୍କା ମାରିଥିଲା। ଦୁର୍ଘଟଣା ଭୟଙ୍କର ଥିବାରୁ କାର୍‌ରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଦମକଳ ବାହିନୀ ଓ ପୋଲିସକୁ ସୂଚନା ଦେଇଥିଲେ।