କରୋନାରୁ ଆରୋଗ୍ୟ ଲାଭ କରି ଭୀମ‌ସାର୍‌, ବୁର୍ଲାରେ ପ୍ଲାଜମା ଦାନକଲେ ଆଉ ୩ ଜଣ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ତାଲପାଲିପଡ଼ା ନିବାସୀ ସୁଶ୍ରୀ ଶୀତଳ ସୁନାଙ୍କ ସହିତ ତାଙ୍କ ଭାଇ ଅନିଲ ସୁନା ଓ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର ତରାଇ ସ୍ୱେଚ୍ଛାକୃତ ଭାବେ ୧୭ ତାରିଖ ଦିନ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ପ୍ଲାଜ୍‌ମା ଦାନ କରିଛନ୍ତି। ସମ୍ପୃକ୍ତ ୩ ଜଣ କରୋନା ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ରହି ଚିକିତ୍ସା ପରେ କରୋନା ମୁକ୍ତ ହୋଇଥିଲେ।

ଏହି ମହତ୍‌ କାର୍ଯ୍ୟ ପାଇଁ ସେମାନଙ୍କୁ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲା ସ୍ଥିତ ପ୍ଲାଜମା ଭଣ୍ଡାରରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ନିଜେ କରୋନାକୁ ପରାସ୍ତ କରି ଅବଶେଷରେ ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଇବା ସକାଶେ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିଥିବାରୁ ଉପରୋକ୍ତ ୩ ଜଣ ଜିଲ୍ଲା ପ୍ରଶାସନ ତଥା ଏ ଅଞ୍ଚଳର ବୁଦ୍ଧିଜୀବୀଙ୍କ ପ୍ରଶଂସା ଭାଜନ ହୋଇଛନ୍ତି। ଏମାନଙ୍କ ଏପରି ଜନକଲ୍ୟାଣକାରୀ ପଦକ୍ଷେପ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।