ଝାରସୁଗୁଡା,ଏନ୍ଏନ୍ଏସ୍: ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ (ଏମସିଏଲ)ର ବେଲପାହାଡ଼ ଖୋଲା ମୁହଁ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଯୋରାବଗା ଗ୍ରାମର କିଛି ଅଂଶ ଅଧିଗ୍ରହଣ ହେବ। ହେଲେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯଦି ଜମି ଅଧିଗ୍ରହଣ କରିବ ତ ସମସ୍ତ ଗ୍ରାମକୁ ଅଧିଗ୍ରହଣ କର। ବିସ୍ଥାପିତ କରିବ ତ ସମସ୍ତ ଗ୍ରାମବାସୀଙ୍କୁ ଏକା ସାଙ୍ଗରେ ବିସ୍ଥାପିତ କର। କିଛି ଗ୍ରାମବାସୀଙ୍କୁ ବିସ୍ଥାପିତ କରି ଗ୍ରାମରୁ ଦୂର କରିବାସହ କିଛି ଲୋକଙ୍କୁ କୋଇଲା ଖଣି ପାଖରେ ଧୂଳି, ଧୂଆଁ ଖାଇବା ପାଇଁ ଛାଡିଦେବା ଅନ୍ୟାୟ ଅଟେ।
ଯଦି କୋଇଲା ଖଣି ସମ୍ପ୍ରସାରଣ ପାଇଁ ଯୋରାବଗା ଗ୍ରାମ ଅଧିଗ୍ରହଣ କରାଯିବ ତେବେ ସମ୍ପୂର୍ଣ୍ଣ ଗ୍ରାମକୁ ଅଧିଗ୍ରହଣ କରାଯାଉ ବୋଲି ଆଜି ଯୋରାବଗା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏମସିଏଲ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ସହ ତ୍ରୀପାକ୍ଷିକ ବୈଠକରେ ଗ୍ରାମବାସୀମାନେ ରୋକଠୋକ ଭାବରେ କହିଛନ୍ତି। ଏହାପରେ ଗ୍ରାମବାସୀଙ୍କ ସମସ୍ତ ଦାବିର ତର୍ଜମା କରି ଆଉଥରେ ବୈଠକ ଅନୁଷ୍ଠିତ ହେବ ଏବଂ ସବିଶେଷ ଆଲୋଚନା କରାଯିବ ବୋଲି ଉପଜିଲ୍ଲାପାଳ ଶିବ ଟପ୍ପୋ କହିଛନ୍ତି।
ଆଜି ଅନୁଷ୍ଠିତ ହୋଇଥିବା ଆଲୋଚନା ବୈଠକରେ ଉପଜିଲ୍ଲାପାଳ ଶିବ ଟପ୍ପୋ, ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ଏମସିଏଲ କର୍ତ୍ତୃପକ୍ଷ, ଗ୍ରାମବାସୀ ଦୁଃଖବନ୍ଧୁ ପାନ, ପିଣ୍ଟୁ ସାହୁ, କୁବେର ସାହୁ, ଅନନ୍ତ ବିଶ୍ୱାଳ, ଜୟନ୍ତ ବିଶ୍ୱାଳ, ଧୀରେଶ ପ୍ରଧାନ, କୁନୁ ଝାଙ୍କର, ଅରକ୍ଷିତ ପ୍ରଧାନ, ଶିଶୁପାଳ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।