ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ

ବଲାଙ୍ଗିର/ଗଞ୍ଜାମ/ଅନୁଗୁଳ,ଏନ୍ଏନ୍ଏସ୍: ପୁଣି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ତିନି ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର, ଗଞ୍ଜାମ ଓ ଅନୁଗୁଳର ତିନି ସରକାରୀ ବାବୁଙ୍କ ଘରେ ରେଡ ହୋଇଛି। ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର ସୁଧୀର ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ବିଭାଗର ୪ଟି ଟିମ ତାଙ୍କର ବଲାଙ୍ଗିର ସହର ଭିତରେ ଥିବା ବ୍ୟାଙ୍କ କାର୍ଯ୍ୟାଳୟ, ପ୍ୟାଲେସଲାଇନ ଏବଂ ରୁଗୁଡିପଡା ଘର, ବରଗଡ଼, ସମ୍ବଲପୁର ଓ ସୋନପୁରରେ ଥିବା ଘରେ ଏକକାଳୀନ ଚଢ଼ଉ କରିଛି। ଚଢ଼ଉ ବେଳେ କିଛି ନଗଦ ଟଙ୍କା, ସୁନା ଅଳଙ୍କାର ମିଳିଥିବା ବେଳେ ଘରବାଡି ସମ୍ପତ୍ତିର ଆକଳନ ଜାରି ରହିଛି। ସେପଟେ ଆକାଉଣ୍ଟାଣ୍ଟ ଏହି ଭିଜିଲାନ୍ସ ରେଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର କୌଣସି ଆୟ ବହିର୍ଭୂତ ସମ୍ପତ୍ତି ନଥିବା ସେ କହିଛନ୍ତି।

ସେହିପରି ଗଞ୍ଜାମ ଚିକିଟି ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଚିକିଟି କଲେଜର ଡେମୋନଷ୍ଟ୍ରେଟର କୈଳାସ ମହାନ୍ତିଙ୍କ ଭୁବନେଶ୍ୱର, ବ୍ରହ୍ମପୁର, ଚିକିଟି ସମେତ ୬ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢ଼ଉ କରିଥିବା ଜଣାପଡ଼ିଛି।

ଅନୁଗୁଳ ଜିଲ୍ଲାର ଆରଡବ୍ଲୁଏସଏସର କନିଷ୍ଠ କିରାଣି ରୋହିତାସ ବାଗଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସରକାରୀ କ୍ୱାର୍ଟର୍ସ, ଆଠମଲ୍ଲିକ ଓ ବୌଦ୍ଧ ସ୍ଥିତ ଫ୍ୟାରିରେ ଏକକାଳୀନ ଚଢ଼ଉ ହୋଇଛି। ତାଙ୍କର କେତେ କ’ଣ ସମ୍ପତ୍ତି ରହିଛି ସେ ନେଇ ଭିଜିଲାନ୍ସ ଯାଞ୍ଚ ଜାରି ରଖିଛି।