ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ୩ ଗିରଫ, ଗଞ୍ଜେଇ ସହ ବାଇକ ଓ ଫୋନ ଜବତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ବେଆଇନ ନିଶା କାରବାର ରୋକିବା ପାଇଁ ଜିଲ୍ଲା ପୁଲିସ କଠୋର ମନୋଭାବ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଭିଯାନରେ ପୁଣି ଏକ ସଫଳତା ପ୍ରାପ୍ତ କରିଛି।

ପୁଲିସ ସୂଚନା ଅନୁଯାୟୀ ଗତକାଲି ପ୍ରତ୍ୟୁଷରେ ସମ୍ବଲପୁର ପଟୁ ଦେବଗଡ଼ ଆଡକୁ ଏକ ବାଇକରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ନିର୍ଦ୍ଦେଶରେ ସ୍ପେଶାଲ ସ୍କ୍ୱାର୍ଡ ସବ ଇନ୍ସପେକ୍ଟର ବୁଦ୍ଧରାୟ ମାଝୀ ସଦଳବଳେ ଚଟିବରଘାଟ ଛକ ଠାରେ ଛକି ରହିଥିଲେ। ଏକ ବାଇକ (ଓଡି-୧୫ଏ-୭୨୨୪) ଯୋଗେ ରିଆମାଳ ଥାନା ଅନ୍ତର୍ଗତ ଡ଼ଙ୍ଗାଘାଟ ଗ୍ରାମର କାଳିଚରଣ ଆଚାର୍ଯ୍ୟ (୫୮), ତିଳେଇବଣି ଫାଣ୍ଡି ଅନ୍ତର୍ଗତ ଅସୁରଖୋଲ ଗ୍ରାମର ଦଶରୁ ସେଠୀଙ୍କ ପୁଅ ଉଦୟ ସେଠୀ(୨୫) ଏକ ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ଆଣୁଥିଲେ। ଅନ୍ୟ ଏକ ବାଇକରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆପଡା ଗ୍ରାମର ସିଦ୍ଧାର୍ଥ ମହାପାତ୍ରଙ୍କ ପୁଅ ସୌମ୍ୟ ରଞ୍ଜନ ଓରଫ ହ୍ୟାପି (୧୯) ଓ ଅସୁରଖୋଳ ଗ୍ରାମର ସୁରେଶ ନାହାକଙ୍କ ପୁଅ ପବିତ୍ର ନାହାକ କାଳିଚରଣ ଓ ଉଦୟଙ୍କୁ ଏସ୍କକର୍ଟ କରି ଆଣୁଥିଲେ।

ପୁଲିସ ସେମାନଙ୍କୁ ଅଟକାଇ ଥିଲା। ପୁଲିସ ଯାଞ୍ଚ ବେଳେ ଘଟଣା ସ୍ଥଳରୁ ପବିତ୍ର ଫେରାର ହୋଇଯାଇଥିବା ବେଳେ ପୁଲିସ ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରିଛି। ସେମାନଙ୍କ ଠାରୁ ୨୦କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ, ଏକ ବାଇକ, ମୋବାଇଲ ଫୋନ ଓ ନଗଦ ୬୦୦ ଟଙ୍କା ଜବତ ହୋଇଛି।

ପଚରାଉଚୁରା ବେଳେ ସମ୍ବଲପୁର ଅଞ୍ଚଳର ରିୟାନ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ନିୟମିତ ଗଞ୍ଜେଇ ଆଣି ବ୍ୟବସାୟ କରୁଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ସ୍ବିକାରୋକ୍ତି ପରେ ଦେବଗଡ଼ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରିବା ପରେ ଏନଡ଼ିପିଏସ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କାଳିଚରଣ, ସୌମ୍ୟରଞ୍ଜନ ଓ ଉଦୟକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିଲା। ପବିତ୍ର ଓ ରିୟାନ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।