ଆଫଗାନିସ୍ତାନ ରାଜଧାନୀ କାବୁଲରେ ପଶିଲା ତାଲିବାନ, ସହରର ଚାରି ଦିଗରୁ ଘେରି ରହିଛି

ଆଫଗାନିସ୍ତାନ/ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଚାରି ଦିଗରୁ ପ୍ରବେଶ କରୁଛି ତାଲିବାନ। ଏନେଇ ଅନ୍ତରିଣ ମନ୍ତ୍ରାଳୟ ପକ୍ଷରୁ ଗାଣମାଧ୍ୟମ ସଂସ୍ଥା ରଏଟର୍ସକୁ ସୂଚନା ଦିଆଯାଇଛି। ଏହି ସମୟରେ ଆମେରିକା ପକ୍ଷରୁ କାବୁଲ ଦୂତାବାସରୁ ସମସ୍ତ ଅଧିକାରୀ ମାନଙ୍କୁ ହେଲିକାପ୍ଟର ସାହାଯ୍ୟରେ କାବୁଲରୁ ସ୍ଥାନାନ୍ତର କରାଯାଉଛି।

ସୂଚନା ମୁତାବକ ଆଫଗାନି ସୈନ୍ୟ ମାନଙ୍କ ସହିତ ତାଲିବାନ ରାଜଧାନୀର ବିଭିନ୍ନ ପ୍ରବେଶ ପଥରେ ଗୁଳାକାଣ୍ଡ ଜାରି ରଖିଛି। ରାଜଧାନୀ ଆଡକୁ ତୀବ୍ର ଗତିରେ ତାଲିବାନ ଅଗ୍ରସର ହେଉଥିବା ବେଳେ ଆମେରିକା ଅଧିକା ସୈନ୍ୟ ପଠାଇ ନିଜର ଅଧିକାରୀ ମାନଙ୍କୁ ସେଠାରୁ ବାହାର କରିବା ଚେଷ୍ଟା କରୁଛି। ଏହି ସମୟରେ ଆମେରିକାର ପ୍ରମୁଖ ଅଧିକାରି ମାନେ କାବୁଲ ଏୟାରପୋର୍ଟରୁ ରହି ସ୍ଥିତିର ଅନୁଧ୍ୟାନ କରିବା ସହିତ ନିଜ ନାଗରିକ ମାନଙ୍କୁ ବାହାର କରିବାରେ ସାହାଯ୍ୟ କରୁଛନ୍ତି। ସେହିପରି ନାଟୋ ସୈନ୍ୟ ମାନଙ୍କୁ କାବୁଲର ଏକ ଅଜଣା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି।

ତେବେ ତାଲିବାନ ପକ୍ଷରୁ କୁହାଯାଇଛି ଯେ ରାଜଧାନୀକୁ ବଳପୁର୍ବକ ଦଖଲ କରିବାର କୌଣସି ଯୋଜନା ନାହିଁ କିନ୍ତୁ ଏ ପର୍ଯ୍ୟନ୍ତ ତାଲିବାନ ପକ୍ଷରୁ କୌଣସି ଅସ୍ତ୍ରବିରତି ଉଲଂଘନ ଘୋଷଣା କରାଯାଇ ନାହିଁ। ଏହି ଘଟଣାରେ ରାଷ୍ଟ୍ରପତି ଅଶରଫ ଘନିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଗତକାଲି ବିଳମ୍ବିତ ରାତିରେ ଜଲାଲାବାଦକୁ ତାଲିବାନ କବଜା କରି ନେଇଛି। ଜାଲାଲାବାଦରେ ରହୁଥିବା ଆଫଗାନିସ୍ତାନର ଜଣେ ଅଧିକାରୀ ରଏଟର୍ସକୁ ଦେଇଥିବା ସୂଚନା ମୁତାବକ ବର୍ତ୍ତମାନ ଜାଲାଲାବାଦରେ ରାଜ୍ୟପାଳ ତାଲିବାନ ନିକଟରେ ଆତ୍ମସମର୍ପଣ କରିଥିବାରୁ କୌଣସି ସଂଘର୍ଷ ଘଟୁନାହିଁ। ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ପାଇଁ ତାଲିବାନ ନିକଟରେ ଆତ୍ମସମର୍ପଣ ପାଇଁ ଏକମାତ୍ର ଉପାୟ ବୋଲି ସେ କହିଛନ୍ତି।