କାବୁଲରୁ ଭାରତୀୟ ଯାତ୍ରୀଙ୍କୁ ଆଣିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,ଏଜେନ୍ସି: ୧୨୩ ଯାତ୍ରୀ କାବୁଲରୁ ଏୟାରଇଣ୍ଡିଆ ଯୋଗେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଲିବାନ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅଧୀନକୁ ନେଇଛନ୍ତି। ଏହାର ପରେ ଅପରାହ୍ଣରେ ଏହି ବିମାନ କାବୁଲରେ ଥିବା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା।

ଏୟାର ଇଣ୍ଡିଆର ଅଧିକାରୀ କହିଛନ୍ତି ଯେ ଏୟାରଲାଇନ୍ସ ଏବେ ଦିଲ୍ଲୀ-କାବୁଲ-ଦିଲ୍ଲୀ ବିମାନକୁ ବାତିଲ କରିବାକୁ ଏପର୍ଯ୍ୟନ୍ତ କୌଣସି ଯୋଜନା ନାହିଁ। ସୋମବାର ମଧ୍ୟ ଏପରି ଚାଲିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ଏୟାର ଇଣ୍ଡିଆ କେବଳ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ କରୁଛି।

ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ରବିବାର ଅପରାହ୍ଣରେ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ବିମାନ (ଏଆଇ-୨୪୩) ଦିଲ୍ଲୀରୁ କାବୁଲ ଯାଇଥିଲା। ଅପରାହ୍ଣ ୧ଟା ୪୫ ମିନିଟ ସମୟରେ ଦିଲ୍ଲୀରୁ ଏହି ବିମାନଟି ଉଡ଼ାଣ ଭରିଥିଲା। ବିମାନଟି କାବୁଲରେ ଅବତରଣ କରିବା ବେଳେ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି)ରୁ ଅନୁମତି ମିଳିନଥିଲା। ଏହାପରେ ଆକାଶ ମାର୍ଗରେ ପାଖାପାଖି ଘଣ୍ଟାଏ ବିମାନଟି ଉଡିଥିଲା। ପରେ ଅବତରଣ କରିଥିଲା ଏହି ବିମାନ।

ଏହାପରେ ଏଆଇ-୨୪୪ ଅପରାହ୍ଣ ପ୍ରାୟ ୫ଟା ୩୫ ମିନିଟ୍ ସମୟରେ କାବୁଲ ବିମାନବନ୍ଦରରୁ ୧୨୩ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ବିମାନ ସେବା ଉପରେ ଏବେ ତୀକ୍ଷ୍ଣ ନଜର ରହିଛି। ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।