ଗଞ୍ଜାମର ଗାଙ୍ଗପୁର ଥାନା ଦେଶରେ ଦ୍ୱିତୀୟ, ଆଇଆଇସିଙ୍କୁ ପୁରସ୍କୃତ କଲେ ଗୃହମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଉତ୍ତମ ପୁଲିସ ସେବାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏଥିପାଇଁ ଲକ୍ଷ୍ନୌରେ ଅନୁଷ୍ଠିତ ୫୬ତମ ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାସଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି। ଦେଶର ପ୍ରଥମ ଥାନା ଭାବେ ନୂଆଦିଲ୍ଲୀର ସଦର ବଜାର ଥାନା ଓ ତୃତୀୟ ସ୍ଥାନରେ ହରିୟାଣାର ଭଟୁକଲାନ୍ ଥାନା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୁଲିସ ଓ ଗାଙ୍ଗପୁର ଥାନା ପୁଲିସକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ସମ୍ମାନ ରାଜ୍ୟର ଅନ୍ୟ ଥାନା ଗୁଡ଼ିକୁ କାମ କରିବାର ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ଉଲ୍ଲେଖ କରିଛନ୍ତି।

ସର୍ବଶ୍ରେଷ୍ଠ ସ୍ଥାନ ଭାବେ ବିବେଚିତ କରିବା ପାଇଁ କେନ୍ଦ୍ରଗୃହ ମନ୍ତ୍ରଣାଳୟ ପକ୍ଷରୁ ସିସିଟିଏନ୍‌ଏସ୍‌, ପୁଲିସର ଇ-ଗଭରନାନ୍ସକୁ ଭିତ୍ତି କରି ୪୯ଟି ମାନଦଣ୍ଡର ଯାଞ୍ଚ କରାଯାଇଥିଲା। ଯେପରିକି ଜୁଆଖେଳ ମାମଲା, ବେଆଇନ ଅସ୍ତ୍ରଶସ୍ତ୍ର ମାମଲା, ଅବକାରୀ ମାମଲା, ଅପମୃତ୍ୟୁ ମାମଲା, ପାସପୋର୍ଟ ଇସ୍ୟୁ, ଅସ୍ତ୍ରଶସ୍ତ୍ର ଯାଞ୍ଚ ଭଳି ଅନେକ ବିଷୟ ଉପରେ ଅନୁଧ୍ୟାନ କରାଯାଇଥିଲା। ଏହିସବୁ ମାମଲା ଗୁଡ଼ିକରେ ଗାଙ୍ଗପୁର ଥାନା ପୁଲିସ ଅତି ଉଲ୍ଲେଖନୀୟ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏମିତିକି ଅନ୍ୟ ପୁଲିସ ଥାନା ତୁଳନାରେ ଗାଙ୍ଗପୁର ପୁଲିସ ସାଧାରଣଲୋକଙ୍କୁ ପ୍ରଂଶସନୀୟ ସେବା ଯୋଗାଇଆସୁଛି।

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ଅଭିଯାନକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଶ୍ରୀ ଦାସ କର୍ତ୍ତବ୍ୟନିଷ୍ଠ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ସେ ତାଙ୍କ ଥାନାରେ ‘ପିପୁଲ ଫ୍ରେଣ୍ଡ୍‌ଲି’ ଅଭ୍ୟର୍ଥନା ପ୍ରକୋଷ୍ଠ, ଥାନାକୁ ଆସୁଥିବା ଶିଶୁଙ୍କ ପାଇଁ ପାର୍କ, ମହିଳା ଓ ଶିଶୁ ଡେସ୍କ, ଥାନା ପରିସରରେ ପିଇବା ପାଣି ବ୍ୟବସ୍ଥା, ସାନିଟାରି ବ୍ୟବସ୍ଥା, ଥାନା ଅଧିନରେ ଥିବା ଗାଁ ଗୁଡ଼ିକରେ ‘ଆମ ପୁଲିସ ସମିତି’ ଏବଂ ଥାନା ଅଧିକାରୀ ଓ କର୍ମଚାରୀଙ୍କ ଲୋକଙ୍କ ପ୍ରତି ଥିବା ଉତ୍ତମ ବ୍ୟବହାର ପ୍ରଦର୍ଶନ ଯୋଗୁ ଗାଙ୍ଗପୁର ଥାନା ଆଜି ଏହି ସ୍ଥାନରେ ପହଞ୍ଚିପାରିଛି।