ଝିଅ ଦେଖି ଫେରିବା ବାଟରେ ଦୁର୍ଘଟଣା, ୩ ମୃତ

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଳା ବିନିକା ଥାନା ଅରିଗାଁ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୁଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଭେଡେନ ଥାନା ବଏପୁର ଗାଁରୁ ଝିଅ ଦେଖିବା ପାଇଁ କିଛି ଲୋକ ବିନିକା ଥାନା ବଲାରଙ୍ଗା ଗ୍ରାମକୁ ଆସିଥିଲେ। ଝିଅ ଦେଖି ଫେରିବା ବେଳକୁ ଅରିଗାଁ ଠାରେ ପାଣି ପିଇବା ପାଇଁ ଅଟକିଥିଲେ। ଗୋଡ଼ଭଗା ପଟରୁ ଏକ ହାଇୱା (ଓଡି-୧୫ଡି-୦୮୨୨) ଦ୍ରୁତ ଗତିରେ ଏମାନଙ୍କ ଉପରକୁ ମାଡି ଆସିଥିଲା।

ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ବ୍ୟକ୍ତିଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଭେଡେନ ଥାନା ବାଏପୁର ଗାଁର ଗୌର ମାଝୀ, ଗୋବିନ୍ଦ ବଗର୍ତ୍ତି ଓ ଜନାର୍ଦ୍ଦନ ବାରିକ। ଆହତ ବ୍ୟକ୍ତି ଜଣକ ହେଲେ ରୁପାଲି ଗାଁର ବରୁଣ ଭୋଇ। ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱା ଜବତ କରିବା ସହ ଚାଳକକୁ ଅଟକ ରଖି ତଦନ୍ତ କରୁଛି।