ହାତୀର ଦଳାଚକଟାରେ ୩ ମୃତ, ୫ ଗୁରୁତର

ପିପିଲି,ଏନ୍ଏନ୍ଏସ୍: ପିପିଲି ଅଞ୍ଚଳରେ ହାତୀଙ୍କ ତାଣ୍ଡବ। ରବିବାର ପିପିଲିର ଭିନ୍ନ ଭିନ୍ନ ଅଞ୍ଚଳରେ ହାତୀ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ତେବେ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ଅଞ୍ଚଳରୁ ଏକ ଦନ୍ତା ହାତୀ ଚନ୍ଦକା ଅଞ୍ଚଳରୁ ଡେଳାଙ୍ଗର କୁଆପଦା ଅଞ୍ଚଳକୁ ଯାଇଥିଲା। ବନବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖାଯାଇଥିବା ବେଳେ ରାତି ପାଖାପାଖି ୯ଟା ସମୟରେ ହାତୀଟି କେଉଁଆଡେ ଉଭାନ ହୋଇଯାଇଥିଲା। ପରେ ବନ ବିଭାଗ ହାତୀଟିକୁ ପାଇ ନଥିଲେ। ପରେ ଆଜି ସକାଳେ ବଳଙ୍ଗାର ଗୋପୀନାଥପୁର ଅଞ୍ଚଳରେ ଜଣେ ବୃଦ୍ଧ ଯୁଗଳ ଭଟ୍ଟା ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ସେହିପରି ଚନ୍ଦ୍ରାଦେଈପୁରରେ ଜଣେ ଲୋକ ପନିପରିବା କ୍ଷେତରେ କାମ କରୁଥିବା ବେଳେ ହଠାତ ହାତୀ ପଶିଆସି ତାଙ୍କୁ ଦଳି ଦେଇଥିଲା। ସେଠାରୁ ଲୋକମାନେ ହାତୀକୁ ଘଉଡ଼ାଇବାରୁ ହାତୀଟି ରାଜତାଇରେ ପଶି ଲୋକଙ୍କୁ ଆକ୍ରମଣ କରିଥିଲା। ଏଥିରେ ଜଣଙ୍କର ମୃତୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

ଏହି ପରିପ୍ରେକ୍ଷୀରେ ପିପିଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।