କିଟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ତୃତୀୟ ଦିନ ଖେଳଦେଶ- ବିଦେଶ By Nitidin Last updated Feb 23, 2020 Share ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ତୃତୀୟ ଦିନ । ସକାଳ ୭ ଟାରୁ ଆରମ୍ଭ ହୋଇଛି ହକି ଲଢେଇ । ପରେ ପରେ ବାସ୍କେଟ ବଲ, ଭଲିବଲ , ଆର୍ଚେରୀର ପରବର୍ତ୍ତୀ ରାଉଣ୍ଡ ଖେଳାଯିବ । ଗତକାଲି ଖେଳାଯାଇଥିବା ଆର୍ଚେରୀ ଦଳଗତ ରିଜର୍ଭରେ କିଟ୍ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ସୂର୍ଯ୍ୟମଣି ମାଝି, ରଞ୍ଜିତ ନାୟକ , ଶ୍ରବଣ କୁମାରଙ୍କୁ ନେଇ ଗଠିତ କିଟ୍ ଦଳ ସର୍ବାଧିକ ପଏଣ୍ଟ ହାସଲ କରି ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛି । ସେପଟେ କୋହ୍ଵନ ବିଶ୍ୱ ବିଦ୍ୟାଳୟର କୋମଲିକା ବାରି ଓ ପଞ୍ଜାବ ବିଶ୍ୱ ବିଦ୍ୟାଳୟର ସଙ୍ଗମପ୍ରୀତ ବିସନା ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗ ରିଜର୍ଭ ଯୋଗ୍ୟତା ପର୍ଯ୍ୟାୟରେ ଆଧିପତ୍ୟ ଜାରି ରଖି ସର୍ବାଧିକ ପଏଣ୍ଟ ହାତେଇଛନ୍ତି । ‘ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍’ ଶନିବାର କଟକର କଟକ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହା ଦେଶର ଯୁବ ବର୍ଗଙ୍କ ପରିଚୟର ନୂଆ ମାଧ୍ୟମ ହୋଇଥିବା ବେଳେ ଏହା ଦେଶରେ କ୍ରୀଡା କ୍ଷେତ୍ରରେ ନୂଆ ଆଶାର ସଂଚାର ଭରିଛି ବୋଲି ଶନିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେଁ ସର୍ବ ପ୍ରଥମ ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡାର ଉଦଘାଟନ କରିବା ପରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟ କ୍ରୀଡା ଓଡିଶା ପାଇଁ ଗୌରବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୂରଦୂଷ୍ଟି ଯୋଗୁଁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଜନଆନ୍ଦୋଳନ ମାଧ୍ୟମରେ କ୍ରୀଡା କ୍ଷେତ୍ରରେ ଦେଶରେ ସକରାତ୍ମକ ଚିନ୍ତାଧାରା ଆଣିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ଯୋଗଦେଇ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶର ଇତିହାସରେ ପ୍ରଥମ ବିଶ୍ୱବିଦ୍ୟାଳୟ କ୍ରୀଡା ଓଡିଶାରେ ହେଉଛି । ବିଗତ ୬ ବର୍ଷ ଧରି ଦେଶର କ୍ରୀଡା ଜଗତକୁ ସମସ୍ତ ଦିଗରୁ ପ୍ରୋତ୍ସାହନ ଦିଆଯାଉଛି । ଦେଶରେ କ୍ରୀଡା ଭିତିଭୂମିରେ ନିରନ୍ତର ସୁଧାର ଅଣାଯିବା କାରଣରୁ ଖେଳାଳିଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ବିଶେଷତଃ ଝିଅମାନେ ଖେଲୋ ଇଣ୍ଡିଆରେ ବିଭିନ୍ନ ସ୍ତରରେ କ୍ରୀଡା କ୍ଷେତ୍ରରେ ଅନେକ ସଫଳତା ଅର୍ଜନ କରୁଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଯୁବକ ଓ ଯୁବତୀମାନେ ସୁନାମ ଆଣୁଛନ୍ତି । ଖେଲୋ ଇଣ୍ଡିଆ ଅନେକ ସଧାରଣ ଘରର ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଖୋଜିବାର ମାଧ୍ୟମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଓଡିଆ ଧାବିକା ଦୂତୀ ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ଦେଶରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟ ସ୍ତରର ଖେଲୋ ଇଣ୍ଡିଆ ପଦକ୍ଷେପ ନିଆଯାଇଛି । ଆଗାମୀ ଅଲମ୍ପିକ୍ସରେ ଭାରତ ଅଧିକ ମେଡାଲ୍ ଆଣୁ ଏବଂ ଓଡିଆ ଝିଅ ଦୂତି ଚାନ୍ଦ ନିଶ୍ଚିତ ଭାବରେ ସ୍ୱର୍ଣ୍ଣ ପଦକ ଜିତିବା ସମସ୍ତଙ୍କର ଅପେକ୍ଷା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଆସନ୍ତା ଦିନ ମାନଙ୍କରେ କିଛି ଅନ୍ତରାଷ୍ଟ୍ରୀୟ ଖେଳ ଓଡିଶାରେ ଆୟୋଜନ କରିବା ନେଇ ଶ୍ରୀ ପ୍ରଧାନ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେହିଭଳି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ସ୍ତରରେ ସମସ୍ତ ଅତିଥି, କ୍ରୀଡାବିତ୍ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଆଜି ସମସ୍ତଙ୍କର ଉପସ୍ଥିତି ରାଜ୍ୟର ଗୌରବ ବଢାଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । Share