ଅନୁପଙ୍କ ପରିବାରକୁ ପୁଲିସର ଧମକ, ଭୟରେ ରାତିସାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଲେ

ଝାରସୁଗୁଡା,ଏନ୍ଏନ୍ଏସ୍: ଗତ କିଛିଦିନ ତଳେ ଛତିଶଗଡ଼ରେ ଜଣେ ମାଆ ଓ ଝିଅକୁ ହତ୍ୟା କରିଥିବା ଘଟଣାରେ ପୁଲିସ ଝାରସୁଗୁଡାର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। ଏହି ଘଟଣାପରେ ଅନୁପଙ୍କ ପରିବାରକୁ ପୁଲିସ ଧମକାଉଥିବା ଅଭିଯୋଗ କରି ପରିବାର ଲୋକେ ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେଠାରେ ତାଙ୍କ କଥା କେହି ନ ଶୁଣିବାରୁ ସୋମନେ ରାତିସାରା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏ ନେଇ ପରିବାର ଲୋକେ କହିଛନ୍ତି ଯେ ଛତିଶଗଡ଼ ପୁଲିସ ଅନୁପ ସାଏଙ୍କୁ ମାନସିକ ଚାପ ପକାଉଛି। ଏହାସହ ବଘରାଚକାସ୍ଥିତ ତାଙ୍କ ବାସ ଭବନକୁ ଆସି ପରିବାରବର୍ଗଙ୍କୁ ଡରାଉଥିବା ସେମାନେ କହିଛନ୍ତି। ବାରମ୍ବାର ଛତିଶଗଡ ପୁଲିସ ସେମାନଙ୍କ ଘରେ ଚଢ଼ଉ କରୁଥିବା ସହ ଆଜି ପୁଲିସ ଘରକୁ ଆସି ଅନୁପଙ୍କ ପୁଅକୁ ୨୩ ତାରିଖ ଥାନାରେ ହାଜିର ହେବା ପାଇଁ ନୋଟିସ ଦେଇଛି।

ଏହି ହତ୍ୟାକାଣ୍ଡରେ ଅନୁପ ତଥା ତାଙ୍କ ପରିବାରବର୍ଗଙ୍କ ସମ୍ପୃକ୍ତି ନଥିଲେ ମଧ୍ୟ ଛତିଶଗଡ ପୁଲିସ ସେମାନଙ୍କ ଉପରେ ଅତ୍ୟାଚାର କରୁଥିବାରୁ ଜୀବନ ସୁରକ୍ଷା ପାଇଁ ଶନିବାର ରାତିରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଆଶ୍ରୟ ନେଇଥିବା କହିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଅନୁପ ନିର୍ଦ୍ଦୋଷ, ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି। ଏହାସହ ଛତିଶଗଡ ପୁଲିସ ତାଙ୍କୁ ତଦନ୍ତ ସମୟରେ ମାନସିକ ଚାପ ପକାଇ କଳ୍ପନା ଓ ବବଲିଙ୍କୁ ସେ ହତ୍ୟା କରିଥିବା ସ୍ୱୀକାର କରିବା ପାଇଁ କହୁଛି। ଯଦି ସେ ହତ୍ୟା କରିଥିବା ସ୍ୱୀକାର ନ କରିବେ ତେବେ ପୁଲିସ ତାଙ୍କ ପରିବାର ବର୍ଗଙ୍କୁ ଗିରଫ କରିବ ବୋଲି ଭୟଭୀତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ଏଣୁ ଛତିଶଗଡ ପୁଲିସର ଅତ୍ୟାଚାରରୁ ସୁରକ୍ଷିତ ରହିବା ପାଇଁ ଅନୁପଙ୍କ ପରିବାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆଶ୍ରୟ ନେଇଥିବା କହିଛନ୍ତି। ସେମାନେ କହିଛନ୍ତି ଆମେ ଘରେ ସୁରକ୍ଷିତ ନେହୁଁ ତେଣୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ବସି ରହିବୁ। ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନୁପଙ୍କ ମା’ହେମଲତା ସାଏ, ବଡ଼ ଭାଇ ପ୍ରମୋଦ ସାଏ, ଭାଉଜ ଗୀତାଞ୍ଜଳୀ ସାଏ, ସ୍ତ୍ରୀ ସୁଷମା ଦେ, ପୁଅ ଶୁଭମ ସାଏ, ଝିଅ ଶୁଭ୍ରସ୍ମିତା ସାଏ ଓ ପୁତୁରା ସଂଗ୍ରାମ ସାଏ ବସିଛନ୍ତି।