ଭୁବନେଶ୍ୱର,ଏନ୍ଏନ୍ଏସ୍: ଗଭୀର ଗାତରେ ପଶି କାମ କରୁଥିବା ବେଳେ ୩ ଭାଇ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଏହି ଅଭାବନନୀୟ ଘଟଣା ଘଟିଛି। ମୋହନା ବ୍ଲକ ଅନ୍ତର୍ଗତ ବଡବା ଥାନା ବିରିକୋଟ ଗାଁରେ ମୃତ୍ୟୁ ହୋଇଥିବା ତିନି ଭାଇଙ୍କର ବୟସ ଯଥାକ୍ରମେ ୨୪, ୨୭ ଓ ୩୦ ବର୍ଷ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ ତିନି ଭାଇ ୬ ଫୁଟ ଗଭୀର ଗାତରେ ପଶିଥିଲେ। ଗଭୀର ଗାତ ଭିତରକୁ ପ୍ରଥମେ ମଝିଆ ଭାଇ ପ୍ରବେଶ କରିଥିଲେ। ସେ ବହୁ ସମୟ ପର୍ଯ୍ୟନ୍ତ ନ ବାହାରିନଥିଲେ। ମାଝିଆ ଭାଇ ବହୁ ସମୟ ନବାହାରିବା ପରେ ବଡ଼ ଭାଇ ଓ ସାନଭାଇ ମଧ୍ୟ ଗାତ ଭିତରକୁ ପ୍ରବେଶ କରିଥିଲେ।
ତିନି ଭାଇ ବହୁ ସମୟ ଧରି ଗାତ ଭିତରୁ ବାହାରି ନଥିଲେ। ଫଳରେ ପରିବାର ଲୋକଙ୍କର ଚିନ୍ତା ବଢ଼ିଥିଲା। ଶେଷରେ ଗ୍ରାମାବାସୀଙ୍କ ଦ୍ୱାରା ତିନି ଭାଇଙ୍କୁ ଗାତ ଭିତରୁ ବାହାର କରାଯାଇଥିଲା। କିନ୍ତୁ ସେତେବେଳକୁ ସେମାନଙ୍କର ଅବସ୍ଥା ଗୁରୁତର ଥିଲା। ସେମାନଙ୍କୁ ମୋହନାସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତିନିଭାଇଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ, ପୋଲିସ ଘଟଣାର ତଦନ୍ତ କରୁଛି।