୧୫ ଜଣିଆ ଦଳର ପର୍ବତାରୋହଣ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରିର ପ୍ରଧାନିଗୁଡ଼ା ନିକଟରେ ଟ୍ରାଇବାଲ ଏମପାୱାରମେଣ୍ଟ ଏଣ୍ଡ ଆୱାରନେସ ମିଶନ ସଂଗଠନର ସହଯୋଗରେ ୧୫ ଜଣ ପର୍ବତାରୋହୀ ପର୍ବତ ଆରୋହଣ କରିଛନ୍ତି। ମୀନକେତନ ସମରଥଙ୍କ ନେତୃତ୍ୱରେ ଏହି ପର୍ବତାରୋହୀମାନେ ଶୁକ୍ରାଗୁଡ଼ା, ସିନ୍ଧିବାଟ, ଚୁଲିପାଣି ଓ ଲକ୍ଷ୍ମଣପୁର ପ୍ରମୁଖ ୪ଟି ଗାଁକୁ ଗସ୍ତ କରିଥିଲେ। ଏହି ଗସ୍ତ ବେଳେ ଗ୍ରାମବାସୀଙ୍କ ଜୀବନଶୈଳୀ, ଚାଷ, ଶିକାର ଓ ଜଙ୍ଗଲଜାତ ଫଳମୂଳ ସଂଗ୍ରହ ଇତ୍ୟାଦି ବିଷୟରେ ବହୁ ତଥ୍ୟ ହାସଲ କରିଥିଲେ। ଚେରମୂଳି ଚିକିତ୍ସା ବିଷୟରେ ଜ୍ଞାନ ଆହରୋଣ କରି ଏହି ସମସ୍ତ ଗ୍ରାମରେ ପାନୀୟ ଜଳର ସମସ୍ୟା, ବିଜୁଳି ଖୁଣ୍ଟ ଓ ତାର ସଂଯୋଗ ଥାଇ ମଧ୍ୟ ବିଜୁଳି ବତି ଜଳୁନଥିବା ଦେଖିବାକୁ ମିଳିଥିଲା। ଏହି ଗ୍ରାମରେ ଶିକ୍ଷା ସମେତ ପୁଷ୍ଟିକର ଖାଦ୍ୟ ନ ମିଳିବା, ଗର୍ଭବତୀଙ୍କୁ ଉଚିତ ମାର୍ଗଦର୍ଶନର ଅଭାବ ଓ ମୌଳିକ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଥିବା ଜଣାପଡ଼ିଥିଲା। ସାମାନ୍ୟ ସମସ୍ୟା ହେଲେ ଗ୍ରାମବାସୀମାନେ ଅଙ୍କାବଙ୍କା ପାହାଡ଼ିଆ ରାସ୍ତା ଦେଇ ପ୍ରାୟ ୬ରୁ ୧୦ କିଲୋମିଟର ତଳକୁ ଆସିବାକୁ ବାଧ୍ୟ ହୁଅନ୍ତି। ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ହେଲେ ବହୁ କଷ୍ଟ କରିବାକୁ ପଡ଼ିଥାଏ। ରୋଗୀକୁ ଭାର କିମ୍ବା ଖଟିଆରେ ବୁହା ହୋଇଥାଏ। ଏହି ସମସ୍ତ ସମସ୍ୟା ସତ୍ୱେ ପର୍ବତାରୋହୀଙ୍କୁ ଗ୍ରାମବାସୀମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଜିଲ୍ଲା ପ୍ରଶାସନ ସହ ଆଲୋଚନା ଓ ସହଯୋଗରେ ଆଗାମୀ ଦିନରେ ଗ୍ରାମବାସୀଙ୍କ ପାଇଁ ମୌଳିକ ସୁବିଧା ଯଥା ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ସେବା ଓ ମୌଳିକ ଶିକ୍ଷାର ଆବଶ୍ୟକତା ରହିଛି ସେ ସମସ୍ତ ସୁବିଧା ଯୋଗାଇବାର ଆଶ୍ୱାସନା ଦେଇଥିଲେ। ଏହି ଟିମରେ ଦୀପାରାଣୀ ନାୟକ, ରାଧିକା ମାଝୀ, ଶାନ୍ତି ମାଡ଼କାମି, ବିନତି ପଡ଼ିଆମି, ରମେଶ ମାଡ଼କାମି, ଚନ୍ଦ୍ର ଶେଖର ପାଡ଼ାଲ, ରାମକୃଷ୍ଣ ଚୌଧୁରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ପର୍ବତାରୋହଣ କରିଥିଲେ।