ସାର୍ତ୍ତାଗୁଡ଼ା ବୃଦ୍ଧାଶ୍ରମରୁ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାର ଶୁଭାରମ୍ଭ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଯୋଜନାରେ କନ୍ଧମାଳ ଜିଲ୍ଲାର ୮୭ ବରିଷ୍ଠ ନାଗରିକ ଦକ୍ଷିଣ ଭାରତ ଯାତ୍ରାରେ ବାହାରିଛନ୍ତି । ଫୁଲବାଣୀ ସହର ଉପକଣ୍ଠ ସାର୍ତ୍ତାଗୁଡ଼ା ବୃଦ୍ଧାଶ୍ରମ ପରିସରରୁ ୨ଟି ବସ ସେମାନଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛି । ତୀର୍ଥଯାତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନର ୫ଜଣ ଅଧିକାରୀ ପଥ ପ୍ରଦର୍ଶକ ଭାବେ ଯାଇଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ବରିଷ୍ଠ ନାଗରିକମାନେ କନ୍ୟାକୁମାରୀ ଓ ତ୍ରିଭେନ୍ଦ୍ରମ ଯାତ୍ର କରିବେ । ସାର୍ତ୍ତାଗୁଡ଼ା ବୃଦ୍ଧାଶ୍ରମ ପରିସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ପ୍ରଶାସକ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ପ୍ରବୀଣ କୁମାର ବଣୁଆ, ଡେପୁଟି କଲେକ୍ଟର ଡି ମାଲେଶ୍ୱର ପାତ୍ର ଓ ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର ପ୍ରମୁଖ ଉପସ୍ଥିତ ଥିଲେ । ଏହି ତୀର୍ଥଯାତ୍ରା ପାଇଁ ୧୧୪ ଜଣଙ୍କ ନାମ ପଞ୍ଜିକୃତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୭ ଜଣ ସୋମବାର ଯାତ୍ରା କରିଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଛନ୍ତି । ଆସନ୍ତା ୧୫ ତାରିଖରେ ସେମାନେ ଫୁଲବାଣୀ ଫେରିବା କାର୍ଯ୍ୟକ୍ରମ ରହିଛି ।