ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଝୁଲେନବର ଗ୍ରାମର ଜଣେ ୧୫ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୩ଜଣଙ୍କୁ ପାଟଣାଗଡ଼ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପାଟଣାଗଡ଼ର ରାଜା ମାଝୀ ଏବଂ ରାଜାକୁ ସହଯୋଗ କରିଥିବା ସ୍ଥାନୀୟ ରାମପୁରର ଶିବା ତାଣ୍ଡି ଓ ବିକାଶ । ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ରିପୋର୍ଟ ମୁତାବକ, ଝୁଲେନବର ଗ୍ରାମର ୧୫ ବର୍ଷିୟା ଲିପିକା(ଛଦ୍ମନାମ)କୁ ଭଲ ପାଇବାର ଅଭିନୟ କରି ପାଟଣାଗଡ଼ ବଡ଼ ହରିଜନପଡ଼ା ନିକଟରେ ରହୁଥିବା ରାଜା ମାଝୀ ଗତ ୨୮ ତାରିଖରେ ଏକ ମୋଟରସାଇକେଲରେ ବସାଇ ନେଇ ଆସିଥିଲା । ରାଜା ଶାରୀରିକ ସଂପର୍କ ରଖିବା ପାଇଁ ପ୍ରଥମେ ଲିପିକାକୁ ଅନୁରୋଧ କରିଥିଲା ହେଲେ ସେ ମନା କରିବାରୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ରାଜାକୁ ତା’ର ବନ୍ଧୁ ଶିବା ଓ ବିକାଶ ସହାୟତା ପ୍ରଦାନ କରିଥିବା ଲିପିକା ଅଭିଯୋଗ କରିଛନ୍ତି । ଏ ଘଟଣା ସମ୍ପର୍କରେ ଲିପିକା ଗତ ୧୬ ତାରିଖରେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ରାଜା, ଶିବା ଓ ବିକାଶକୁ କୋର୍ଟ ଚାଲାଣ କରିଥିଲା ।