ଗୋହିରା ଡ୍ୟାମର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନୀ ସ୍ଥଳୀର ମାନ୍ୟତା ପାଇଁ ୮ ପଞ୍ଚାୟତବାସୀଙ୍କ ମିଳିତ ବୈଠକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଗୋହିରା ଡ୍ୟାମ ଆଞ୍ଚଳିକ ନାଗରିକ ମଞ୍ଚ ପକ୍ଷରୁ ଗୋହିରା ଡ୍ୟାମର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବିରେ ଆଜି ତିଳେଇବଣି ବ୍ଲକ ଅନ୍ତର୍ଗତ ୮ଟି ପଞ୍ଚାୟତର ଜନସାଧାରଣଙ୍କ ଏକ ମିଳିତ ବୈଠକ ଡ୍ୟାମ ସାଇଟ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । କଂସର ପଞ୍ଚାୟତ ଅନ୍ତର୍ଗତ ହେଟଖମାର ଅଞ୍ଚଳର ସମାଜସେବୀ ଦିଲ୍ଲୀପ ନାୟକଙ୍କ ଆବାହକତ୍ୱ ଏବଂ ଦୁଧିଆନାଳୀ ସରପଞ୍ଚ ଉଦିତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କଂସର, ଦୁଧିଆନାଳୀ, ଢୋଲପଡ଼ା, ପାଳକୁଦର, କେନ୍ଦେଇଜୁରୀ, ତାଳକୁଣ୍ଡି, ଆଡ଼ଶ ଓ ସୋଡ଼ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି, ସମାଜସେବୀ ଓ ବୁଦ୍ଧିଜୀବୀମାନେ ଏକତ୍ରିତ ହୋଇଥିଲେ । ଏହି ସମୟରେ ଆଦିବାସୀବହୁଳ ତିଳେଇବଣି ବ୍ଲକରେ ଥିବା ବିଭିନ୍ନ ପର୍ଯ୍ୟଟନୀ ସ୍ଥଳୀଗୁଡ଼ିକର ଉନ୍ନତିକରଣ କରାଯିବା ସହ ଗୋହିରା ଡ୍ୟାମର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କଠାରେ ଦାବୀ କରିଛନ୍ତି । ଉପରୋକ୍ତ ପଞ୍ଚାୟତଗୁଡ଼ିକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିବାବେଳେ ସରକାରୀସ୍ତରରେ ଏସବୁ ଅଞ୍ଚଳର ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ଦିଆଗଲେ ଅଞ୍ଚଳର ଆର୍ôଥକ ବିକାଶ ହେବାସହ ବେକାର ଯୁବକଙ୍କ ପାଇଁ କର୍ମ ସଂସ୍ଥାନ ଯୋଗାଇବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା । ଏଥିସହ ସମସ୍ତ ୮ଟି ପଞ୍ଚାୟତ ଜନସଧାରଣଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯିବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ ଉପରୋକ୍ତ ସମସ୍ତ ପଞ୍ଚାୟତର ଜନସାଧାରଣ ନିଜ ନିଜ ମତପ୍ରକାଶ କରିଥିଲେ ।