ଚନ୍ଦ୍ରପୁର/ବିଷମକଟକ,ଏନ୍ଏନ୍ଏସ୍:-ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁଟ୍ରାଗଡ଼ା ପଞ୍ଚାୟତ ମାଣିକେଶ୍ୱରୀ ବିଦ୍ୟାପୀଠ ପରିସରରେ ଶିଶୁ ଉତ୍ସବ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଓଷ୍ଠା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ସରକାରୀ, ସରକାର ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଦିନିକିଆ ପ୍ରତିଭା ଉନ୍ମେଷ “ଶିଶୁ ଉତ୍ସବ’ କାର୍ଯ୍ୟକ୍ରମକୁ ଓଷ୍ଠାର ଜିଲ୍ଲା ସଭାପତି ପ୍ରମୋଦ କୁମାର ପରିଡ଼ା ସଭାପତିତ୍ୱ କରଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବାରିହା ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ (ଏଡିଇଓ) ଭଜନଲାଲ ମାଝୀ ଓ ସମ୍ମାନିତ ଅତିଥିଭାବେ ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର ବେଜ, କାର୍ଯ୍ୟକାରୀ ସଭାପତି ବିଜୟ କୁମାର ନାୟକ, ଓଷ୍ଠା ସଂଘର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ମନୋଜ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ସକାଳ ୧୦ଟାରେ ଜିଲ୍ଲାର ୨୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୧୮ଜଣ ଛାତ୍ରଛାତ୍ରୀ ତର୍କ, ସଙ୍ଗୀତ, ଚିତ୍ରାଙ୍କନ, ଆବୃତ୍ତି, ଗଳ୍ପ-ଲିଖନ, କବିତା ରଚନା, ଏକକ ଅଭିନୟ, ଏକକ ନୃତ୍ୟ, ସାଧାରଣଜ୍ଞାନ ଓ କୁଇଜ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ ପ୍ରତିଭା ଦେଖାଇଥିଲେ । ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ଉନ୍ମେଷ କାର୍ଯ୍ୟକ୍ରମର ମୂଳ ଲକ୍ଷ ଓ ଉଦ୍ଦେଶ୍ୟ ବୋଲି ମୁଖ୍ୟବକ୍ତା ଏଡିଇଓ ଶ୍ରୀ ମାଝୀ ବକ୍ତବ୍ୟରେ କହିଥିଲେ । ଅନ୍ୟପଟେ ଅପରାହ୍ନରେ ଆୟୋଜିତ ହୋଇଥିବା ଦ୍ୱିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଯଶୋଦା ହୁଇକା, ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଇଲାମାଇ ପିଡ଼ିକାକା ଓ ସମିତି ସଭ୍ୟ ମୌସୁମୀ ପୂଜାରୀ ପ୍ରମୁଖ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସେମାନଙ୍କ ପ୍ରତିଭା ଓ ଦକ୍ଷତାର ପ୍ରଶଂସା କରିଥିଲେ ।