ଗୋରୁ ମାଂସ ବିକ୍ରି ଅଭିଯୋଗରେ ୩ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ତାଳକୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ମହୁଲଦର୍ହ ଗ୍ରାମରେ ପବିତ୍ର ଦୋଳ ଉତ୍ସବରେ ଗୋରୁ ହତ୍ୟା କରି ମାଂସ ବିକ୍ରି ଘଟଣାରେ ଉକ୍ତ ଦିନଠାରୁ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ଭାଲିଆଡ଼ିହ ଗ୍ରାମରେ ୫ଖଣ୍ଡ ଗ୍ରାମବାସୀଙ୍କ ମିଳିତ ବୈଠକରେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଦୋଷ ସ୍ୱୀକାର କରିବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ବାଙ୍କଦର୍ହ ଗ୍ରାମର ମିଖେଲ ଖାଖା, ଆନନ୍ଦ ପ୍ରକାଶ ଖାଖା ଓ ଭାଲିଆଡ଼ିହ ଗ୍ରାମର ବିରୁ ରୋହିଦାସ । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।

ମିଳିଥିବା ରିପୋର୍ଟ ମୁତାବକ, ଦୋଳ ଉତ୍ସବ ଦିନ ମହୁଲଦର୍ହ ଗ୍ରାମରେ କେତେକ ବ୍ୟକ୍ତି ଗୋରୁ ହତ୍ୟା କରିଥିବା ସୂଚନା ପାଇ ଭାଲିଆଡ଼ିହ ଓ ଆଖପାଖ ଅଞ୍ଚଳର କେତେକ ଯୁବକ ଘଟଣାସ୍ଥଳରେ ପହଞ୍ଚିବାରୁ ଉପରୋକ୍ତ ଅଭିଯୁକ୍ତଙ୍କ ସହ ଆଉ କେତେକ ବ୍ୟକ୍ତି ଗୋରୁ କାଟୁଥିବା ଧାରୁଆ ଅସ୍ତ୍ର ଧରି ଯୁବକଙ୍କୁ ଆକ୍ରମଣ ଉଦ୍ଦେଶ୍ୟରେ ଗୋଡ଼ାଇଥିଲେ । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହେବାସହ ଗତକାଲି ଭଳିଆଡ଼ିହ ଗ୍ରାମରେ ସରପଞ୍ଚଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଭିଯୁକ୍ତମାନେ ଦୋଷ ସ୍ୱୀକାର କରିବା ପରେ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ଆଧାରରେ ରିଆମାଳ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।