ଖଜୁରୀପଡ଼ା,ଏନ୍ଏନ୍ଏସ୍: ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପାବେରୀ ଗ୍ରାମରେ ୧୧ଟା ବେଳେ ବିଦ୍ୟୁତ୍ ସର୍ଟସର୍କିଟ ହୋଇ ୩ ବଖରା ଘର ଜଳିଯିବା ସହ ନିତ୍ୟବ୍ୟବହାର୍ଯ୍ୟ ଆସବାବପତ୍ର ପୋଡ଼ି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଘଟଣାର ଶିକାର ହୋଇଥିବା ରଦିକାନ୍ତ ବେହେରାଙ୍କ କହିବାନୁଯାୟୀ, ଆମେ ସମସ୍ତେ ନିଜ ନିଜ କାମରେ ବାହାରକୁ ଯାଇଥିବାବେଳେ ପ୍ରାୟ୧୧ଟା ସମୟରେ ସର୍ଟସର୍କିଟ ହୋଇ ଅଚାନକ ଘରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଗ୍ରାମବାସୀ ସମେତ ଆମେ ଭାଇମାନେ ମିଶି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସଫଳ ହୋଇପାରିଲୁ ନାହିଁ । ପରେ ଖଜୁରୀପଡ଼ା ଦମକଳ ବାହିନୀ ଆସି ନିଆଁ ଲିଭାଇବା ବେଳକୁ ମୋ ୨ ଭାଇ ସଦିକନ୍ତ ବେହେରା ଓ ରମାକାନ୍ତ ବେହେରା ବସବାସ କରୁଥିବା ୩ ବଖରା ଘର ସମ୍ପୂର୍ଣ ଭାବେ ପୋଡ଼ି ଯାଇଥିଲା । ଘର ଭିତରେ ଝିଅ ବାହାଘର ପାଇଁ ଥିବା ଲକ୍ଷାଧିକ ଟଙ୍କା ସହିତ ଆସବାବପତ୍ର, ଧାନ ଚାଉଳ ଲୁଗା ପଟା ,କାଗଜ ପତ୍ର ସବୁ ପୋଡ଼ି ନଷ୍ଟ ହୋଇଯାଇଛି ।