କାଷ୍ଟ ଆଇରନ ପାଇପ ଚୋରି ଅଭିଯୋଗ, ୩ ଗିରଫ

  • ଦେବଗଡ଼, ଏନଏନଏସ: ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୁଣ୍ଡେଇମରା ଗ୍ରାମରେ ଏକ ଠିକା କମ୍ପାନୀର କ୍ୟାମ୍ପରୁ କାଷ୍ଟ ଆଇରନ ପାଇପ ଚୋରି କରିଥିବା ଅଭିଯୋଗରେ ରିଆମାଳ ପୁଲିସ ଗୁରୁବାର ୩ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶ ଯେ, ଗୁଣ୍ଡେଇମରା ଗ୍ରାମରେ କ୍ୟାମ୍ପ କରିଥିବା ଇନଫ୍ରାଷ୍ଟ୍ରକଚର କମ୍ପାନୀରୁ ଗତ ୧୨ ତାରିଖ ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ କାଷ୍ଟ ଆଇରନ ପାଇପ ଓ ଅନ୍ୟାନ୍ୟ କେତେକ ସାମଗ୍ରୀ ଚୋରି କରି ନେଇଥିଲେ। ଏନେଇ କମ୍ପାନୀର ସାଇଟ ଇନଚାର୍ଜ ଚିତ୍ତରଞ୍ଜନ ପଣ୍ଡା ପରଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରିଆମାଳ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଏହି ଚୋରି ମାମଲାରେ କୁଚିଣ୍ଡା ଥାନା ଅନ୍ତର୍ଗତ ଘୋଡାବନ୍ଧା ଗ୍ରାମର ପୂର୍ଣ୍ଣଚନ୍ଦ୍ର କୁସୁମ (୨୦), ଠେଲକୁଲି ଥାନା ଅନ୍ତର୍ଗତ ଘିଚାମୁରା ଗ୍ରାମର ଅଜୟ ଓରାମ (୧୯)ଓ ଗୋକୁଳାନନ୍ଦ ଭୋଇ (୨୨)ଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ପରେ ସେମାନଙ୍କ ଗ୍ରାମରେ ଚଢ଼ଉ କରି ରିଆମାଳ ଭାରପ୍ରାପ୍ତ ଥାନାଧିକାରୀ ଗୋପବନ୍ଧୁ ବେହେରା ଓ ଏସଆଇ ମାଗୁଣି ଚରଣ ଗଡ଼ନାୟକ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଗରିବା ସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା କାଷ୍ଟ ଆଇରନ ପାଇପ, ଗ୍ୟାସ ସିଲିଣ୍ଡର ଓ ଓଆର -୧୫-କେ -୦୩୯୯ନଂ. ବିଶିଷ୍ଟ ପିକଅପ ଭ୍ୟାନକୁ ଜବତ କରିଥିଲେ।