ଦମ୍ପତିଙ୍କଠାରୁ ଟଙ୍କା ଲୁଟ ଘଟଣା, ଯୁବକ କୋର୍ଟଚାଲାଣ

  • ଦେବଗଡ଼, ଏନଏନଏସ: ଜଣେ ଦମ୍ପତିଙ୍କ ଏଟିଏମ କାର୍ଡ ଆକ୍ଟିଭ କରିବା ବାହାନାରେ ଉକ୍ତ କାର୍ଡରୁ ଟଙ୍କା ଉଠାଣ କରି ଫେରାର ହୋଇଯାଇଥିବା ଜଣେ ଠକ ଯୁବକକୁ ଦେବଗଡ଼ ପୁଲିସ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ସୁବର୍ଣ୍ଣପାଲି ଗ୍ରାମର ଯୋଗେଶ୍ୱର ପ୍ରଧାନ (୫୦) ସ୍ତ୍ରୀଙ୍କ ସହ ଦେବଗଡ଼ ଷ୍ଟେଟ ବ୍ୟାଙ୍କ ଶାଖା ଏଟିଏମକୁ ଆକ୍ଟିଭ କରି ଟଙ୍କା ଉଠାଣ ପାଇଁ ଆସିଥିଲେ। ତେବେ ସେ କାର୍ଡ ଆକ୍ଟିଭ କରି ପାରୁନଥିବା ଦେଖି ସେଠାରେ ଥିବା ଜଣେ ଅଜଣା ଯୁବକ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ମାତ୍ର କାର୍ଡ ଆକ୍ଟିଭ ହେଉନି କହି ସମ୍ପୃକ୍ତ ଯୁବକ ଯୋଗେଶ୍ୱରଙ୍କୁ ସେଠାରୁ ଅନ୍ୟ ଏଟିଏମକୁ ପଠାଇ ଦେଇଥିଲେ। ଉକ୍ତ କାର୍ଡରୁ ୪ ହାଜର ଟଙ୍କା ଉଠାଇ ସେଠାରୁ ଫେରାର ହୋଇଯାଇଥିଲା। ଯୋଗେଶ୍ୱରଙ୍କ ମୋବାଇଲ ଫୋନରେ ଟଙ୍କା ଉଠାଣ ସମ୍ପର୍କିତ ମେସେଜ ଆସିବାରୁ ଯୋଗେଶ୍ୱର ତାଙ୍କ ଏଟିଏମ ଆକ୍ଟିଭେଟ କରି ଟଙ୍କା ଉଠାଣ ହୋଇଥିବା ଜାଣିପାରି ସେ ଠକେଇ ର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଯୋଗେଶ୍ୱର ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ହେଲେ ଦେବଗଡ଼ ପୌରାଞ୍ଚଳ ପୁରୁଣାଗଡ଼ ଅଞ୍ଚଳର ଆର୍ତ୍ତ ସାହୁ (୨୬)।