ଶିଶୁପୁତ୍ର ଉଦ୍ଧାର ଘଟଣା, ଦମ୍ପତି ଗିରଫ

  • ଦେବଗଡ଼, ଏନଏନଏସ: କାଦୋପଡା ପଞ୍ଚାୟତର ମସିନ୍ତା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଗତ ସୋମବାର ଏକ ଶିଶୁ ପୁତ୍ର ଉଦ୍ଧାର ଘଟଣାରେ ଚାଇଲ୍ଡଲାଇନର ଏତଲା ଓ ଶିଶୁ ମଙ୍ଗଳ କମିଟିର ନିର୍ଦେଶକ୍ରମେ ଅଭିଯୁକ୍ତ ଦମ୍ପତିଙ୍କୁ ଗୁରୁବାର ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଗତ ସୋମବାର ରାତି ପ୍ରାୟ ୯ଟାରେ ମସିନ୍ତା ଗ୍ରାମ ନିକଟ ଜଙ୍ଗଲରୁ ଏକ ଶିଶୁର କାନ୍ଦିବା ଶବ୍ଦ ଶୁଣି ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। ସାହସ ବାନ୍ଧି ଗ୍ରାମର ରାଜେଶ ମାଝୀଙ୍କ ସ୍ତ୍ରୀ ସରସ୍ୱତୀ ସ୍ୱାମୀଙ୍କ ସହିତ ଜଙ୍ଗଲ ଭିତରକୁ ଯାଇ ଖୋଜାଖୋଜି କରିବା ସମୟରେ ଏକ ଗଛମୂଳରୁ ୩ ମାସର ଶିଶୁ ପୁତ୍ରକୁ ପାଇଥିଲେ। ସୂଚନା ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଚାଇଲ୍ଡଲାଇନର ଉପେନ୍ଦ୍ର ଭଞ୍ଜ ୱ୍ୱାରକୋଟ ଥାନା ଏସଆଇ ଦେବବ୍ରତ ନାୟକଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ଗ୍ରାମବାସୀ ଅଚିହ୍ନା ଦମ୍ପତିଙ୍କୁ ଜଙ୍ଗଲ ମଧ୍ୟରେ ଏଣେ ତେଣେ କିଛି ଖୋଜୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ ଗ୍ରାମବାସୀ ସେମାନଙ୍କୁ ଅଟକ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ୍ୱାରକୋଟ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଏହି ଦୁଇଜଣ ସନ୍ଦିଗ୍ଧଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିଲା। ଗୁରୁବାର ସକାଳେ ଏହି ଦୁଇ ଜଣ ଶିଶୁ ମଙ୍ଗଳ କମିଟି ଆଗରେ ଉପସ୍ଥିତ ହୋଇ ସ୍ୱାମୀ-ସ୍ତ୍ରୀ କଳହ କାରଣରୁ ସେମାନେ ଶିଶୁକୁ ଜଙ୍ଗଲ ମଧ୍ୟରେ ପରତ୍ୟକ୍ତ ଅବସ୍ଥାରେ ଛାଡିଥିବା ସ୍ୱୀକାର କରିଥିଲେ। ମାତ୍ର ସେମାନେ ଶିଶୁର ପିତାମାତା ବୋଲି କୌଣସି ଆଇନସିଦ୍ଧ କାଗଜପତ୍ର ଦେଖାଇ ପାରି ନଥିଲେ। ଗିରଫ ଦମ୍ପତି ଝାରଖଣ୍ଡ ଅଞ୍ଚଳର ଲୀନା ହେମ୍ବ୍ରମ ଓ କାଇରୋ ସୋଏ ବୋଲି ଜଣାପଡିଛି। ସେମାନେ ରାଉରକେଲାରେ ଶ୍ରମିକଭାବେ କାର୍ଯ୍ୟ କରନ୍ତି। ଝାରଖଣ୍ଡର ଏହି ଦମ୍ପତିଙ୍କ ସମ୍ପର୍କରେ ଉକ୍ତ ଅଞ୍ଚଳ ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟି ସହ ଆଲୋଚନା କରି ଶିଶୁର ଥଇଥାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।