ବରଗଡ଼ରୁ ୨୬ ନୂଆ କରୋନା ପଜିଟିଭ ଚିହ୍ନଟ : ସଂଖ୍ୟା ୩୨୪କୁ ବୃଦ୍ଧି

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ୨୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଛି । ଏନେଇ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ୱାର୍ଡ ନମ୍ବର ୧୯ ଟିଟିଲାଗଡ଼ିଆ ଝୁପୁଡ଼ିରୁ ସର୍ବାଧିକ ୨୩ ଜଣ ରହିଛନ୍ତି। ସେହିପରି ବରଗଡ଼ ପଞ୍ଚାୟତ କଲେଜ ରୋଡ, କଟାପାଲି ଓ ବରପାଲି ବ୍ଲକର ସତଲମା ଗ୍ରାମରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବରଗଡ଼ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ଏଥିସହିତ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ଓ ସଂପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜିର ୨୬ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଥିବାବେଳେ ୨୧୦ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ଓ ୧୧୩ ଜଣ ଚିକିତ୍ସିତ ହେଉଛନ୍ତି।