କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ପୁଲିସ ଗତ ୨୪ ଘଣ୍ଟା ମଧ୍ୟରେ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିବା ସହ ୨୬ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ଏସପି ମୁକେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଥାନାରେ ୨୬ଟି ଚୋରା ଗଞ୍ଜେଇ ଚାଲାଣ ମାମଲା ରୁଜୁ ହୋଇଥିବାବେଳେ ୨୬ଜଣ ଅଭିଯୁକ୍ତକୁ ଗିରଫ କରାଯିବା ସହ ୧୬୭୨ କିଲୋ ୮୬୫ ଗ୍ରାମ ଗଞ୍ଜେଇ ଏବଂ ଚୋରା ଗଞ୍ଜେଇ ଚାଲାଣରେ ବ୍ୟବହୃତ ୧୦ଟି ଗାଡ଼ି ଜବତ କରାଯାଇଛି।
ଏସପି ଭାମୁଙ୍କ ସୂଚନା ଅନୁଯାୟୀ,୨୪ ତାରିଖ ମଧ୍ୟରାତ୍ରି ସୁଦ୍ଧା ପଟ୍ଟାଙ୍ଗୀ ପୁଲିସ ଦ୍ୱାରା ମାଳିଗୁଡାର ବନମାଳି ଖରା(୩୨) ଓ ଗଞ୍ଜାମ ଜିଲ୍ଲା ଛତ୍ରପୁର ନ୍ୟୁ ପୁଲିସ କଲୋନୀର ଏମସତ୍ୟ ନାରାୟଣ ରେଡ୍ଡୀକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦୭ କିଲୋ ୪୬୦ ଗ୍ରାମ ଗଞ୍ଜେଇ ଓ ଏକ ଗାଡି ଜବତ କରିଛି। ସେହିପରି ବୈପାରିଗୁଡ଼ା ପୁଲିସ ନୟାଗଡ଼ ଜିଲ୍ଲା ଧଳମରା ଗ୍ରାମର ସୁଶାନ୍ତ ଦାଶ ଓ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଭିତର ସୁବାଇ ଗ୍ରାମର ଜିତେନ୍ଦ୍ର ପାଙ୍ଗିକୁ ଗିରଫ କରିବା ସହ ୧୧୦ କିଲୋ ଗଞ୍ଜେଇ ଏବଂ ଏକ ନମ୍ବର ବିହୀନ ବୋଲେରୋ ଜବତ କରାଯାଇଛି। ଜୟପୁର ସଦର ଥାନା ପୁଲିସ ନୟାଗଡ଼ ଜିଲ୍ଲା ଗୋଡିଆଳି ଗ୍ରାମର ଅନୀଲ କୁମାର ପଟ୍ଟନାୟକ ଓ ଖୋର୍ଦ୍ଧାଜିଲ୍ଲା କାଚରା ଗ୍ରାମର ତ୍ରିନାଥ ସାହୁକୁ ଗିରଫ କରିବା ସହ ୬୦ କିଲୋ ଗଞ୍ଜେଇ ଏବଂ ନମ୍ବର ନଥିବା କାର ଜବତ କରିଛି। କାକିରିଗୁମ୍ମା ପୁଲିସ ମଧ୍ୟ ଗତ ୨୪ ଘଣ୍ଟାରେ ପାଟ୍ରୋଲିଂ ସମୟରେ ଏକ ବଲେରୋକୁ ଯାଞ୍ଚ କରି ସେଥିରୁ ୧୪୮ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୬ଜଣକୁ ଗିରଫ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ବିହାର ଭୋଜପୁର ଜିଲ୍ଲା ଲାଲକେଟଲା ଗ୍ରାମର ସୁରଜ ରାୟ,ଏକାବନ ଗ୍ରାମର ହରେନ୍ଦ୍ର ସିଂହ, ବାରାହରା ଗ୍ରାମର ଧନତୀ ରାୟ, ନିକନାମତୋଲା ଗ୍ରାମର ପିଣ୍ଟୁ ଲାଲ, ଦୌଲତପୁରର ଅରବିନ୍ଦ କୁମାର ଏବଂ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ପାଣ୍ଡେଇ ଗ୍ରାମର ସବଲମ ଆଡ଼କାଟିଆ। ସେହିପରି ସେମିଲିଗୁଡା ପୁଲିସ ୩୫୪
କିଲୋ ଗଞ୍ଜେଇ ସହ ଏକ ମିନିଟ୍ରକ ଜବତ କରିଥିବାବେଳେ ଚୋରା ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଖୋର୍ଦ୍ଧା ଜିଲ୍ଲା କଚେରା ଗ୍ରାମର ସୁଶାନ୍ତ କୁମାର ସାହୁ ଏବଂ ପଟାଙ୍ଗୀ ଥାନା ପୁକାଲି ମାଳିଗୁଡା ଗ୍ରାମର ଉମେଶ୍ୱର ଗୁଣ୍ଠାକୁ ଗିରଫ କରିଛି। କୁନ୍ଦୁରା ପୁଲିସ ୩୩୦ କିଲୋଗ୍ରାମ ଗଞ୍ଜେଇ ସହ ଗାଡି ଜବତ କରି ଜୟପୁର ସଦର ଥାନା ପୁଲପୁରି ଗ୍ରାମର ବାଲେସ୍ୱର ଶୁକ୍ରିକୁ ଗିରଫ କରିଥିବା ଜଣାପଡିଛି। ନନ୍ଦପୁର ପୁଲିସ ଏକ କାରରୁ ୭୧ କିଲୋଗ୍ରାମ ଗଞ୍ଜେଇ ଜବତ କରି ୩ଜଣକୁ ଗିରଫ କରିଥିବା ଏସପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ନନ୍ଦପୁର ପୁଲିସ ଦ୍ୱାରା ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲ୍ଲା ଚମ୍ପତିମୁଣ୍ଡା ଗ୍ରାମର ଚିତ୍ତରଞ୍ଜନ ନାୟକ, ଚନ୍ଦ୍ରବାହାଳ ଗ୍ରାମର ଜନକ ଓରଫ ପିଣ୍ଟୁ ବେହେରା ଏବଂ କୋରାପୁଟ ଜିଲ୍ଲା ବୈପାରିଗୁଡାର ଏମଡି ସଲିମ। ସୁନାବେଡା ପୁଲିସ ଏକ ବୋଲେରୋ ଓ ୧୨୦ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ ପୁକାଲି ରାଜୁ ସାହିର ଟି.ପପସ୍ପତି ଶ୍ରୀ ପ୍ରସାଦ, ଭୂପତି ପ୍ରସାଦ ରାଜୁ ଏବଂ କେଦାରନାଥ ରାଜୁକୁ ଗିରଫ କରିଛି।
ଅନ୍ୟପକ୍ଷରେ ଦାମନଯୋଡି ଥାନା ପୁଲିସ ଏକ ଗାଡ଼ି ଓ ୧୨୨ କେଜି ୬୦୫ ଗ୍ରାମ ଗଞ୍ଜେଇ ଜବତ କରିବାସହ ପଟାଙ୍ଗୀ ଥାନା ପୁକାଲି ଗ୍ରାମର ସିମାଞ୍ଚଳ ରାଜୁ, ମାଲିଗୁଡାର ସଲମନ ବାକା ଏବଂ ପିତର ବାରିକକୁ ଗିରଫ କରିଥିବାବେଳେ ମାଛକୁଣ୍ଡ ପୁଲିସ ଏକ ଟ୍ରଲରରୁ ୨୪୮ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ରାଜସ୍ଥାନ ବିରବାଡା ଜିଲ୍ଲା ରତନପୁରା ଗ୍ରାମର ସୁଖଲାଲ ଗୁଜ୍ଜର ଏବଂ ଗାଡ୍ରିଖେଡ଼ା ଗ୍ରାମର ଦୀନେଶ କାଚିକକୁ ଗିରଫ କରିଛି। ଜିଲ୍ଲା ପୁଲିସ କୋରାପୁଟ ଜିଲ୍ଲାରୁ ଚୋରା ଗଞ୍ଜେଇ କାରାବରକୁ ମୂଳତ୍ପାଟନ କରିବା ଲକ୍ଷ ନେଇ କାର୍ଯ୍ୟ କରୁଥିବାରୁ ଗତ ୧୦ ମାସରେ ପୁଲିସକୁ ବଡ଼ ସଫଳତା ମିଳିଥିବା ଏସପି ପ୍ରକାଶ କରିଛନ୍ତି।