ବଲାଙ୍ଗିରରୁ ଆଉ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: କଣ୍ଟେନମେଣ୍ଟ ଜୋନରୁ ୧୮

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଆଉ ୨୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ହାତୀଶାଲପଡ଼ା କଣ୍ଟେନମେଣ୍ଟ ଜୋନରୁ ୧୮ଜଣ ରହିଥିବା ଜଣାପଡ଼ିଛି। କିନ୍ତୁ ଅନ୍ୟ ୩ଜଣ ସଂକ୍ରମିତଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳି ପାରିନାହିଁ। ଜିଲ୍ଲା ପ୍ରଶାସନ ତରଫରୁ ୨୦ଜଣ ସଂକ୍ରମିତଙ୍କ ତଥ୍ୟ ଦିଆଯାଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ତାଲିକାରେ ୨୧ ଦର୍ଶାଯାଇଛି । ତେବେ କୌଣସି ଏକ ସଂକ୍ରମିତଙ୍କୁ ଦୁଇଥର ଦର୍ଶାଯାଇଥିବାକୁ ନେଇ ରାଜ୍ୟ କର୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ହାତୀଶାଲପଡ଼ାରୁ ୧୮ଜଣ ସଂକ୍ରମିତ ଚିହ୍ନଟ ହେବାକୁ ନେଇ ବଲାଙ୍ଗିର ସିଡିଏମଓ କହିଛନ୍ତି କି, ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ସବୁକିଛି ସରକାରଙ୍କ ହାତରେ ଛାଡ଼ିଦେଲେ ଚଳିବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ କେତେକ ଅଞ୍ଚଳକୁ ସଟଡାଉନ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।