ମାଲକାନଗିରିରୁ ୩ କରୋନା ପଜିଟିଭ ଚିହ୍ନଟ: ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ସିଲ୍

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ହୋଇଥିବାରୁ ଚିକିତ୍ସାଳୟକୁ ସିଲ କରି ଦିଆଯାଇଛି ବୋଲି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପ୍ରକାଶ କରିଛନ୍ତି। କିନ୍ତୁ ଜରୁରୀକାଳୀନ ଓପିଡି ଖୋଲା ରହିଥିବା ବେଳେ ଓପିଡି ଓ ଆଇପିଡିକୁ ବନ୍ଦ କରିି ଦିଆଯାଇଛି। ଅନ୍ୟପଟେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଚିକିତ୍ସା ଜାରି ରହିଥିବାବେଳେ ପ୍ରାୟ ୪୦ଜଣ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଗୃହ ସଂଗରୋଧରେ ରଖାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆଉ ୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମାଲକାନଗିରି ପୌର ପରିଷଦ ଅଞ୍ଚଳର ହୋଇଥିବାବେଳେ ଅନ୍ୟଜଣେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟକେନ୍ଦ୍ରର ପରାମର୍ଶ ଆଧାରରେ ବାଲିମେଳା ଏନଏସିର ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେହିଭଳି ମାଲକାନଗିରି ପୌରପରିଷଦ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନର ଜଣେ ରୋଗୀଙ୍କ ଅସ୍ତ୍ରପ୍ରଚାର ପୂର୍ବରୁ ନମୁନା ସଂଗ୍ରହ କରାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଛି।

ସୂଚନାଯୋଗ୍ୟ, ଆଜି ଚିହ୍ନଟ ହୋଇଥିବା ୩ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫କୁ ବୃଦ୍ଧି ପାଇଛି। ଅନ୍ୟପଟେ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୪ ଜଣ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ଆଜିସୁଦ୍ଧା ୬,୫୮୭ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ୬୪୬୨ ଜଣଙ୍କ ରିପୋର୍ଟ ଆସିଥିବା ଜଣାପଡ଼ିଛି। ଏଥିସହିତ ପୌର ପରିଷଦ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ସର୍ଭେ କରାଯାଉଛି। ପରିଷଦ ଅଞ୍ଚଳର ମୋଟ ୯,୬୧୬ଟି ପରିବାରର ସର୍ଭେ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୯,୩୮୬ଟି ପରିବାରର ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହି ସର୍ଭେ କାର୍ଯ୍ୟରେ ୧୦୦ଟି ଦଳ ଗଠନ କରାଯାଇ ସେଥିରେ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ନିୟୋଜିତ କରାଯାଇଛି ।