ଜଗତସିଂହପୁର ଜିଲ୍ଲାରୁ ବର୍ଷକୁ ୨୦ ହଜାର ଗୋରୁଚାଲାଣ

ଜଗତସିଂହପୁର,ଏନ୍‌ଏନ୍‌ଏସ୍‌: ଜଗତସିଂହୁପର ଜିଲ୍ଲାରୁ ବର୍ଷକୁ ପ୍ରାୟ କୋଡିଏ ହଜାରରୁ ଊର୍ଦ୍ଧ୍ୱ ଗୋରୁ କୋଲକାତା ଚାଲାଣ ହେଉଛନ୍ତି। ଜଗତସିଂହପୁର ଓ କଟକ ଜିଲ୍ଲା ଅନ୍ତର୍ଗତ କେତେକ ଥାନାର କାର୍ଯ୍ୟ ସନ୍ଦେହ ଘେରରେ ରହିଛି। ପ୍ରକାଶ ଥାଉ କି, ଜଗତସିଂହପୁର ଜିଲ୍ଲା ସଦର ମହକୁମାରୁ ପ୍ରତ୍ୟେକ ହାଟପାଳିରେ ୨୦୦ ଗୋରୁ ଜଇପୁର ଓ ରଘୁନାଥପୁର ଭାୟା ମାହାଳ ହାଟ ଦେଇ କୋଲକାତା ଚାଲଣ ହେଉଛନ୍ତି। ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ହାଟବାରିରେ ଖୋଲାଖୋଲିଭାବେ କଂସେଇମାନେ ଜଗତସିଂହପୁରରୁ ଜଇପୁର ଏବଂ ଜଗତସିଂହପୁରରୁ ରଘୁନାଥପୁର ଦେଇ ମାହାଳ ହାଟ, ନିଶ୍ଚିନ୍ତକୋଇଲି, ସାଲେପୁର, ଚଣ୍ଡିଖୋଲ ରାସ୍ତା ଦେଇ କୋଲକତା ଚାଲାଣ କରୁଛନ୍ତି। ଏହି ଗୋରୁଚାଲାଣ ସ୍ପଷ୍ଟ ଦିବା ଲୋକରେ ହେଉଥିଲେ ମଧ୍ୟ ସ୍ଥାନୀୟ ଥାନା ଓ ଫାଣ୍ଡି ପୁଲିସ ନିରବ ରହୁଥିବାରୁ ସେମାନଙ୍କର କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି ହେଉଛି। ବର୍ଷବର୍ଷ ଧରି ଏହି ଗୋରୁ ଚାଲାଣ କରାଯାଉଥିଲେ ମଧ୍ୟ ପୁଲିସ କାହିଁକି ଗୋରୁଗାଡ଼ି ଜବତ କରୁନାହିଁ, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ପ୍ରତ୍ୟେକ ଗୋରୁ ବୋଝେଇ ଗାଡ଼ିରେ ଜଣେ ଜଣେ ଅସାମାଜିକ ଯୁବକ ମାରାଣାସ୍ତ୍ର ଧରି ନେଉଛନ୍ତି। ଏହି ଗାଡ଼ିକୁ ଅଟକାଇବା ପାଇଁ ଜନସାଧାରଣ ସାହାସ କରୁନାହାନ୍ତି। ଗତବର୍ଷ ଜଗତସିଂହପୁରରୁ କୋଲକତା ଭାୟା ଜଇପୁର ଦେଇ ଆସୁଥିବା ଏକ ଗୋରୁ ବୋଝେଇ ଟ୍ରକ୍‌କୁ ବଜରଙ୍ଗ ଦଳର କେତେକ କର୍ମୀ ଅଟକାଇଥିଲେ। ମାତ୍ର ଉକ୍ତ ଗୋରୁ ବୋଝେଇ ଟ୍ରକ୍‌ରେ ଥିବା ଅସାମାଜିକ ଯୁବକଙ୍କ ଆକ୍ରମଣରେ କର୍ମୀମାନେ ଗୁରୁତର ହୋଇଥିଲେ। ଏହି ଘଟଣାର ଅଳ୍ପ ଦିନ ପରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା ସୃଷ୍ଟି ହୋଇଛି।

ପୂର୍ବଭଳି ଜଗତସିଂହପୁର ଜିଲ୍ଲାରୁ ପ୍ରତି ହାଟ ପାଳିରେ ୨୦୦ରୁ ଊର୍ଦ୍ଧ୍ୱ ଗୋରୁ କୋଲକାତା ଚାଲାଣ ହେଉଛନ୍ତି। ଯେଉଁ ରାସ୍ତା ଦେଇ ଗୋରୁଚାଲାଣ ହେଉଛି ସ୍ଥାନୀୟ ପୁଲିସ କୌଣସି ପଦକ୍ଷେପ ନେଉନାହିଁ। ଏଥିପ୍ରତି ରାଜ୍ୟ ପୁଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ତୁରନ୍ତ ଗୋରୁ ଚୋରାଚାଲାଣ ରୋକିବାକୁ ଅଞ୍ଚଳର ବୁଦ୍ଧିଜୀବି, ଗୋ ସୁରକ୍ଷା ବାହିନୀ, ବଜରଙ୍ଗ ଦଳ ଦାବି କରିଛନ୍ତି।