୨୦ଟି ବୋମା ଓ ୨ଟି ବନ୍ଧୁକ ଜବତ, ୨ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଗତକାଲି ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପଥୁରିଆନାଳି ଓ ମିଞ୍ଜାରୀବାହାଳ ଗ୍ରାମରେ ଚଢ଼ଉ କରି ୨୦ଟି ଦେଶୀ ବୋମା ଓ ୨ ବନ୍ଧୁକ ସହ ୨ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଦ୍ୱୟ ହେଲେ ପଥୁରିଆନାଳି ଗ୍ରାମର କରୁଣାକର ଖୁଣ୍ଟିଆ (୪୨) ଓ ମିଞ୍ଜାରୀବାହାଳ ଗ୍ରାମର ସୁଦନ ପ୍ରଧାନ (୨୫)। ଏନେଇ ଆଜି ମଧ୍ୟାହ୍ନରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ପ୍ରଦାନ କରିଛନ୍ତ। ସୂଚନାନୁଯାୟୀ, ରିଆମାଳ ଥାନାଞ୍ଚଳରେ ବେଆଇନ ବନ୍ଧୁକ ରହିଥିବା ସୂଚନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ଗତକାଲି ରାତିରେ ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପଥୁରିଆନାଳି ଓ ମିଞ୍ଜାରୀ ବାହାଳ ଗ୍ରାମରେ ଚଢ଼ଉ କରିଥିଲେ। ଏହି ସମୟରେ ଅଭିଯୁକ୍ତଙ୍କ ନିକଟରୁ ୨୦ରୁ ଊର୍ଦ୍ଧ୍ୱ ବୋମା ଓ ୨ଟି ଦେଶୀ ବନ୍ଧୁକ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲେ। ଉଭୟଙ୍କ ବିରୁଦ୍ଧରେ ରିଆମାଳ ଥାନାରେ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତମାନେ କୌଣସି ଅପରାଧିକ ସଂଗଠନ ସହ ଜଡିତ କି ନାହିଁ ଏବଂ ବେଆଇନ ବୋମା ଓ ବନ୍ଧୁକକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ରଖିଥିଲେ ସେନେଇ ଅଧିକ ତଦନ୍ତ ଚାଲିଥିବା ଏସପି ଶ୍ରୀ ରାୟ ସୂଚନା ଦେଇଛନ୍ତି।