ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସିମେଣ୍ଟ ବୋଝେଇ ଟ୍ରକ୍ ଜଳିଯିବାରୁ ଚାଳକ ଜୀବନ୍ତ ଦଗ୍ଧ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଡୁଙ୍ଗୁରିପାଲି ଗାଁରେ ସକାଳେ ବିଦ୍ୟୁତ୍ ତାର ଲାଗି ଏକ ଟ୍ରକ୍ ଜଳିଯିବାରୁ ଟ୍ରକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଆଲଟ୍ରାଟେକ୍ ସିମେଣ୍ଟ ବୋଝେଇ ଟ୍ରକଟି ଝାରସୁଗୁଡ଼ାରୁ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକର ଡୁଙ୍ଗୁରିପାଲିକୁ ଆସିଥିଲା । ସ୍ଥାନୀୟ ସିମେଣ୍ଟ ବେପାରୀ ଅରୁଣ ପ୍ରଧାନଙ୍କ ଗୋଦାମ ଆଗରେ ଗାଡ଼ିରୁ ସିମେଣ୍ଟ ଓହ୍ଲାଇବା ପାଇଁ ଢଙ୍କା ହୋଇଥିବା ତାରପୋଲିନ ଖୋଲିବାକୁ ଚାଳକ ଜଣକ ଉପରକୁ ଚଢ଼ି ଦଉଡ଼ି ଖୋଲିବା ସମୟରେ ଗାଡ଼ିର ଉପର ଦେଇ ଯାଇଥିବା ୩ଫେଜ୍ ବିଦ୍ୟୁତ୍ ତାରରେ ଲାଗିଯାଇଥିଲା । ଫଳରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଲିଭାଇଥିବା ବେଳେ ତୁଷୁରା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।