ଦୁଇ ଟ୍ରକ ମୁହାଁମୁହିଁ ଧକ୍କା : ୩ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ମଣ୍ଡାଶିଳା (କ) ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଦୁଇ ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଉଭୟ ଗାଡ଼ିର ଚାଳକ ଓ ସହାୟକ ସମେତ ୩ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ସକାଳ ପ୍ରାୟ ୭ଟା ସମୟରେ ମଣ୍ଡାଶିଳା ଗ୍ରାମଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥର ବାରକୋଟ ପଟୁ ପାଲଲହଡ଼ା ଅଭିମୁଖେ ଯାଉଥିବା ମାଲ ବୋଝଇ ଟ୍ରକ ସାମ୍ନା ପଟୁ ଆସୁଥିବା ଲୁହା ପଥର ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଦ୍ୱାରା ଉଭୟ ଗାଡ଼ିର ଚାଳକ ଓ ସହାୟକ ଗୁରୁତର ହୋଇ ପଡ଼ିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପାଲଲହଡ଼ା ଡାକ୍ତରଖାନାକୁ ପଠାଯାଇଛି। ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରକକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।