ଜୈଶର ୨ ଆତଙ୍କବାଦୀ ଦିଲ୍ଲୀରୁ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଜୈଶ-ଏ-ମହମ୍ମଦର ୨ ଜଣ ଆତଙ୍କବାଦୀକୁ ଦିଲ୍ଲୀର ସରାୟେକାଳେ ଖାନ୍ ନିକଟରୁ ଗିରଫ କରିଛି। ଫଳରେ ଏକ ବଡ଼ ଧରଣର ଆତଙ୍କବାଦୀ ଚକ୍ରାନ୍ତ ବିଫଳ ହୋଇଯାଇଛି। ୨ ଆତଙ୍କବାଦୀରୁ ଜଣେ ଜମ୍ମୁ-କଶ୍ମୀରର ବାରାମୁଳା ଓ ଅନ୍ୟଜଣେ କୁପବାଡ଼ାର ବାସିନ୍ଦା। ଦୁହିଁଙ୍କଠାରୁ ବିସ୍ଫୋରକ ଓ କାଗଜପତ୍ର ଜବତ କରାଯାଇଛି। ଦିଲ୍ଲୀ-ଏନସିଆରର ଅନେକ ଜାଗାରେ ଆତଙ୍କ ଖେଳାଇବାର ଚକ୍ରାନ୍ତ ରଚିଥିବା ଉଭୟଙ୍କୁ ପଚରାଉଚୁରା କରିବା ପରେ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଗିରଫ ହୋଇଥିବା ଏହି ୨ ଆତଙ୍କବାଦୀ ସୋସିଆଲ ମିଡିଆ ଜରିଆରେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ। ଉଭୟ ପାକିସ୍ତାନ ଯିବା ପାଇଁ ବହୁବାର ସୀମା ପାର କରିବାକୁ ଚେଷ୍ଟା କରଥିଲେ ମଧ୍ୟ ଭାରତୀୟ ସେନାର କଡ଼ା ସତର୍କତା ଯୋଗୁ ଏଭଳି ହୋଇ ପାରିନଥିଲା।

ବିଶେଷ ସୁତ୍ରରୁ ଜଣାପଡ଼ିଛି ଯେ, ଦିଲ୍ଲୀ ପୁଲିସକୁ ଏହି ୨ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ଦୁହିଁଙ୍କ ବୟସ ୨୦ରୁ ୨୨ ବୋଲି କୁହାଯାଉଛି। ତେବେ ପୁଲିସ ପକ୍ଷରୁ ଯାଞ୍ଚ ଜାରି ରହିଥିବାବେଳେ ଆଗାମୀ ଦିନରେ ଆହୁରି ଗିରଫ କରାଯିବାର ସମ୍ଭାବନା ରହିଛି।