ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ପୁଲିସ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରଟୋଲା ସ୍ଥିତ ବ୍ରାହ୍ମଣୀ ନଦୀରେ ୨ ଜଣ ନାବାଳକ ଛାତ୍ର ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଦ୍ୱୟ ହେଉଛନ୍ତି ରାଉରକେଲା ବାସନ୍ତୀ କଲୋନୀର ପ୍ରସନ୍ନ ସାହୁ ଓ ଆୟନ ବାଗ। ଆଜି ସକାଳେ ଟ୍ୟୁସନ ସାଙ୍ଗମାନଙ୍କ ସହିତ ସେମାନେ ପିକ୍ନିକ୍ କରିବାକୁ ଯାଇଥିଲେ। ଦି’ପହର ଖାଦ୍ୟ ପୂର୍ବରୁ ସେମାନେ ଗାଧୋଇବା ଲାଗି ନଦୀରେ ପଶିଥିଲେ। ଗୋଡ଼ ଖସିଯିବାରୁ ସେଠାରେ ଗଭୀର ଜଳରାଶିରେ ନିଖୋଜ ହୋଇଯାଇଥିଲେ। ଅନ୍ୟ ସାଙ୍ଗ ଓ ଗ୍ରାମବାସୀ ବହୁତ ଖୋଜାଖୋଜି ପରେ ମଧ୍ୟ ନିଖୋଜ ଛାତ୍ର ୨ ଜଣଙ୍କର କୌଣସି ପତ୍ତା ମିଳି ନଥିଲା। ଘଟଣାସ୍ଥଳରେ ପୁଲିସ, ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରଖିଛନ୍ତି। ଏ ନେଇ ବାସନ୍ତୀକଲୋନୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉକ୍ତ ଛାତ୍ରଦ୍ୱୟ ନିଖୋଜ ପରେ ସମ୍ପୃକ୍ତ ଟିଉସନ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ରବିବାର ଦିନ ଗୁରୁଣ୍ଡିଆସ୍ଥିତ ବାଦଲଗିରି ଜଳପ୍ରପାତରେ ୨ ଜଣ ଯୁବ ଇଞ୍ଜିନିୟର ବୁଡ଼ି ପ୍ରାଣ ହରାଇଥିଲେ। ୪ଟି ସ୍କୁଟିରେ କୋଏଲନଗର ଓ ବନ୍ଧମୁଣ୍ଡାର ୮ ଜଣ ଯୁବକ ଉକ୍ତ ଜଳପ୍ରପାତକୁ ଭ୍ରମଣ କରିବାକୁ ଯାଇଥିଲେ। ସେଠାରେ ଅନିମେଶ ସିହ୍ନା ଓ ସାଇସ୍ୱରୂପ ମହାନ୍ତି ପଥରଖୋଲରେ ଫସି ପ୍ରାଣ ହରାଇଥିଲେ। ପରେ ବଣେଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉକ୍ତ ଜଳପ୍ରପାତକୁ ସର୍ବସାଧାରଣଙ୍କ ପାଇଁ ନିଷେଧ କରାଯାଇଛି।