ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାର ସଂସଦରେ ତିନୋଟି କୃଷି ବିଧେୟକକୁ ପାରିତ କରାଇନେଇଥିବା ବେଳେ ଦେଶବ୍ୟାପୀ ଏହା ବିରୋଧରେ ଆଜି ଗର୍ଜିଛି କଂଗ୍ରେସ। ଏହି କ୍ରମରେ ଏଆଇସିସି ନିର୍ଦ୍ଦେଶକ୍ରମେ ପିସିସି ପକ୍ଷରୁୁ ଗୋପବନ୍ଧୁ ଛକଠାରୁ ରାଜଭବନ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ସରକାରଙ୍କର ୩ଟି କୃଷକ ମାରଣ ଆଇନ ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ପ୍ରତିନିଧିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
କଂଗ୍ରେସର ଅଭିଯୋଗ ଅନୁଯାୟୀ ଏହି ୩ ଟି ବିଲ୍ ଦ୍ୱାରା ଓଡ଼ିଶା ସମେତ ହରିଆଣା, ପଞ୍ଜାବ, ମହାରାଷ୍ଟ୍ର ଓ ସାରା ଦେଶରେ କୋଟି କୋଟି କ୍ଷୁଦ୍ର, ମଧ୍ୟମ, ନାମମାତ୍ର ଓ ଭାଗଚାଷୀମାନଙ୍କର ବହୁବିଧ କ୍ଷତି ଘଟିବ। ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବିକ୍ରିରୁ ସେମାନେ ବଞ୍ଚିତ ରହିବେ। ଏହାଦ୍ୱାରା ଉଦ୍ୟୋଗ ପତି ଓ ପୁଞ୍ଜିପତିମାନେ ଲାଭାନ୍ୱିତ ହେବାକୁ ଥିବାବେଳେ କୃଷକମାନଙ୍କର ଜମି ଉପରେ ଅଧିକାର କ୍ଷୁଣ୍ଣ ହେବ। ନିଜ ଅଭିଯୋଗରେ ଦଳ କହିଛି ଯେ ଅନ୍ନଦାତାମାନଙ୍କର ପେଟରେ ଲାତ ମାରିଥିବା କେନ୍ଦ୍ରର ବିଜେପି ନେତୃତ୍ୱ ମୋଦୀ ସରକାର ଚାଷୀଙ୍କୁ ପ୍ରତାରିତ କରିଛନ୍ତି। ସାରା ଦେଶରେ ଚାଷୀମାନଙ୍କର ସ୍ୱାର୍ଥକୁ ସୁରକ୍ଷିତ ରଖିବା ଓ ସେମାନଙ୍କ ପରିବାର ନିକଟରେ କଂଗ୍ରେସ ସଦାସର୍ବଦା ଛିଡ଼ା ହୋଇ ଆସିଛି।
ଏପରିକି ରାଷ୍ଟ୍ରପତି ଗତକାଲି ତରବରିଆ ଭାବେ ତିନୋଟି ବିଲ୍କୁ ଆଇନରେ ପରିଣତ କରିବା କୋଟି କୋଟି ଚାଷୀଙ୍କୁ ଗଭୀର ଦୁଃଖ ଦେଇଛି। ତେଣୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ ଅନୁଯାୟୀ କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ ପଦଯାତ୍ରା ଆୟୋଜିତ କରାଯାଇଥିଲା। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଣ୍ଟିଆ, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ମହମ୍ମଦ ମୋକିମ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ନକୁଳ ନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜଗନ୍ନାଥ ପଟ୍ଟନାୟକ ଗୁରୁପଦ ନନ୍ଦ, ଦେବାଶିଷ ପଟ୍ଟନାୟକ, ଆଇନଜୀବୀ ଶିବାନନ୍ଦ ରାୟ, ରାଜ୍ୟ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ବିପିନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଭୂଷଣ ଦାସ ପ୍ରମୁଖ ପଦଯାତ୍ରାରେ ଯାଇ ରାଜଭବନ ସମ୍ମୁଖରେ କେନ୍ଦ୍ରର କୃଷମାରଣ ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ।