ଦଳରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍ : ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଶ୍ରୀ ଓଝାଙ୍କ ବହିଷ୍କାର ସମ୍ପର୍କରେ ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଦଳର ନେତୃତ୍ୱ ଓ ସାଂଗଠନିକ ଚୟନ ସଠିକ୍ ଢଙ୍ଗରେ ହୋଇନଥିବା ନେଇ କିଛି ଦିନ ପୂର୍ବରୁ କଳ୍ପତରୁ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଖୋଲା ଚିଠି ଲେଖିଥିଲେ। ବିଜେଡି ପକ୍ଷରୁ ଯୁବ ଓ ଛାତ୍ର ଜନତା ଦଳର ହୋଇଥିବା ସାଂଗଠନିକ ନିର୍ବାଚନରେ ତାଙ୍କ ପରି ପୁରୁଣା ଓ ସମର୍ପିତ କର୍ମୀଙ୍କୁ ଅଣଦେଖା କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ। ବିଶେଷକରି ଦଳର ଯୁବ ଓ ଛାତ୍ର ଦାୟିତ୍ୱରେ ଥିବା ନେତାଙ୍କୁ ସେ ନିଜ ଚିଠିରେ ଟାର୍ଗେଟ କରିଥିଲେ। ସେ କହିଥିଲେ କି ସେ ଯୁବ ସଂଗଠନ ହେଉ କି ଦଳର ମୁଖ୍ୟ ନେତୃତ୍ୱ ଚୟନ ହେଉ କୌଣସି ବି ନେତୃତ୍ୱ ଚୟନ ଠିକ୍ ଢଙ୍ଗରେ ହେଉନାହିଁ। ଯାହାକୁ ନେଇ ଦଳ ଭିତରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।