ଜାଲ ନମ୍ବର କରି ଲକ୍ଷାଧିକ ଟଙ୍କାର ଆଲୁମିନିୟମ ତାର ବିକ୍ରି ଅଭିଯୋଗରେ ୨ ଗିରଫ

ଝାରସୁଗୁଡ଼ା : ଗୋଟିଏ ଟ୍ରକର ଜାଲ କାଗଜପତ୍ର ସହ ଗାଡ଼ି ନମ୍ବର ବଦଳାଇ ୨୮ ଲକ୍ଷରୁ ଅଧିକ ମୂଲ୍ୟର ଆଲୁମିନିୟମ ନେଇ ଫେରାର ହୋଇ ଯାଇଥିବା ଗାଡ଼ି ଚାଳକ ଓ ମାଲିକକୁ ପୁଲିସ ପଶ୍ଚିମବଙ୍ଗରୁ ଗିରଫ କରିବା ସହ ଟ୍ରକକୁ ଜବତ କରିଛି। ଟ୍ରାନ୍ସପୋର୍ଟ ମାଲିକଙ୍କ ଏତଲାକୁ ଭିତ୍ତି କରି ବଡ଼ମାଲ ଥାନା ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି କି, ସ୍ଥାନୀୟ ଷ୍ଟାର ଲାଇଟ କମ୍ପାନୀରୁ ଗତ ମାସ ୧୪ ତାରିଖରେ ଏକ ଟ୍ରକର ନମ୍ବର ଜାଲିଆତି କରି ଦାମନ ଦିଉସ୍ଥିତ ସିଲବାସାକୁ ୧୫.୮୭୫ ମେଟ୍ରିକ ଓଜନର ଆଲୁମିନିୟମ କଣ୍ଡକ୍ଟର ତା’ର ବୋଝେଇ କରି ବାହାରିଥିଲେ। ତେବେ ନଭେମ୍ବର ୨୦ ତାରିଖ ପର୍ୟ୍ୟନ୍ତ ଉକ୍ତ ଟ୍ରକଟି ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚିବାରୁ ଟ୍ରାନ୍ସପୋର୍ଟ କମ୍ପାନୀର ମାଲିକ ଏନେଇ ବଡ଼ମାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗିରଫ ଟ୍ରକ ଚାଳକ ସଞ୍ଜୟ ଓ ତା’ ମାଲିକ ସାଗରଙ୍କ ମୋବାଇଲ ନମ୍ବର ଆଧାରରେ ତଦନ୍ତ କରି ପୁଲିସ ପଶ୍ଚିମବଙ୍ଗରୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ତଥା ଚୋରି ଜିନିଷ କିଣିଥିବା ଅନ୍ୟ ୨ଜଣ ଫେରାର ଥିବାରୁ ପୁଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ଚୋରି ଆଲୁମିନିୟମର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।