ଅସଦାଚରଣର ଶିକାର ହୋଇ ନାବାଳିକାର ଆତ୍ମହତ୍ୟା: ୨ ଅଧିକାରୀ ନିଲମ୍ବିତ

ଢ଼େଙ୍କାନାଳ,ଏନ୍ଏନ୍ଏସ୍: ଢେଙ୍କାନାଳ ଭାପୁର ଅଞ୍ଚଳରେ ଅସଦାଚରଣର ଶିକାର ହୋଇ ଜଣେ ନାବାଳିକା ଆତ୍ମହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଅଧିକାରୀ ନିଲମ୍ବିତ ହେଲେଣି। ସୂଚନା ଅନୁଯାୟୀ ଭାପୁର ଅଞ୍ଚଳର ଜଣେ ଯୁବକ ଗତ ୬ ତାରିଖ ଦିନ ନାବାଳିକା ଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପାଣି ପିଇବା ବାହାନାରେ ଘରେ ପଶି ତାଙ୍କ ସହିତ ଅସଦାଚରଣ କରିଥିଲା। ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲା। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହାଭିତରେ ଅଭିଯୁକ୍ତ ଯୁବକ ନାବାଳିକାଙ୍କୁ ବାରମ୍ଵାର ଅସଦାଚରଣ କରିଥିଲା। ଏହା ସହ୍ୟ କରି ନପାରି ନାବାଳିକା ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ସମ୍ପୃକ୍ତ ନାବାଳିକାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଏହି ଘଟଣାରେ ଗତକାଲି ଭାପୁର ଫାଣ୍ଡିର ଏଏସଆଇ ପଦ୍ମନାଭ ସାହୁ ନିଲମ୍ବିତ ହୋଇଥିଲେ। ସେହିପରି ଆଜି ଭାପୁର ଫାଣ୍ଡିର ତତ୍କାଳୀନ ଅଧିକାରୀ ପ୍ରଶାନ୍ତ ପଢ଼ିଆରୀ ନିଲମ୍ବିତ ହୋଇଛନ୍ତି। ଏନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ସେପଟେ ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଆଉ କେତେ ଝିଅ ବୋହୂ ବଳି ପଡିବା ପରେ ପୁଲିସର ନିଦ ଭାଙ୍ଗିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।