କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝରଠାରେ ଶୁକ୍ରବାର ସକାଳେ ଜୀବନ ବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା। କେନ୍ଦୁଝର ପୁରୁଣା ସହରସ୍ଥିତ ଇଲେଭେନ ବୁଲେଟ କ୍ଲବ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଉଦଘାଟନ କରିଥିଲେ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଇଲେଭେନ ବୁଲେଟ କ୍ଲବ ସହାୟତାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି।
କରୋନା ସମୟରେ ଜିଲ୍ଲାରେ ରକ୍ତର ଅଭାବ ଦେଖାଦେଇଛି। ଫଳରେ ଚିକିତ୍ସାରେ ଅନେକ ବାଧା ଉପୁଜୁଛି। ଏନେଇ ଶିବିର ମାଧ୍ୟମରେ ରକ୍ତଦାନ କରିବା ପାଇଁ ଆୟୋଜକଙ୍କ ତରଫରୁ ଗୁରୁତ୍ୱାରୋପ କରାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଟଣା ବିଧାୟକ ଜଗନ୍ନାଥ ନାୟକ, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବିଜେଡି ନେତା କାନନ ବିହାରୀ ପହି। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ସମ୍ପାଦକ ତଥା ଯୁବ ସମାଜସେବୀ ଅଞ୍ଜନ କୁମାର ବେଜ, ଇଲେଭେନ ବୁଲେଟ କ୍ଲବର ସମ୍ପାଦକ ଦେବୀ ପ୍ରସାଦ ରଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାର ୧୪ ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।