ପଲ୍‌ସର ଆତଙ୍କ: ଦିନ ଦିପହରେ ଶିକ୍ଷାବିତ୍‌ଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ

ଖୋର୍ଦ୍ଧା,ଏନ୍‌ଏନ୍‌ଏସ୍‌: କିଛିଦିନର ବ୍ୟବଧାନ ପରେ ପୁଣି ଦେଖାଯାଇଛି ଖୋର୍ଦ୍ଧା ସହରରେ ପଲ୍‌ସର୍ ଆତଙ୍କ । କିଛିଦିନ ତଳେ ଓମେନ୍‌ସ କଲେଜ ରୋଡ୍‌ରେ ପଲ୍‌ସରରେ ଆସି ଦୁର୍ବୃତ୍ତ ମର୍ଣ୍ଣିୱାର୍କ କରୁଥିବା ଜଣେ ମହିଳାଙ୍କ ବେକରୁ ଚେନ୍ ଲୁଟି ନେଇଥିବା ବେଳେ ଟିଏସି ରୋଡ୍‌ରେ ଜଣେ ଯୁବକଙ୍କ ମୋବାଇଲ୍ ଲୁଟି ଫେରାର ହୋଇଥିଲେ । ଆଜି ପୁଣି ପଲ୍‌ସର୍‌ରେ ଆସି ଜଣେ ଶିକ୍ଷାବିତଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଖୋର୍ଦ୍ଧା ସହରର ଗୋଡିପୋଖରୀ ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କ ସମ୍ମୁଖରୁ ଆଜି ଦିନ ଦିପହରରେ ଦୁଇଜଣ ଦୁର୍ବୃତ୍ତ ଗୋଟିଏ ପଲ୍‌ସର୍‌ରେ ଆସି ଶିକ୍ଷାବିତଙ୍କ ଠାରୁ ୨ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ଖବର ପାଇ ଏସ୍‌ପି ଏବଂ ଖୋର୍ଦ୍ଧା ଆଦର୍ଶ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି ।

ପ୍ରାପ୍ତ ସୂଚନା ମୁତାବକ ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମାଳିସାହିରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ କିଶୋରଚନ୍ଦ୍ର ବରାଳ ଋଣ ସୁଝିବା ଲାଗି ଏକ ଚେକ୍ ଯୋଗେ ୨ ଲକ୍ଷ ଟଙ୍କା ଉଠାଇବା ପାଇଁ ଆଇସିଆଇସିଆଇ ବ୍ୟାଙ୍କକୁ ଯାଇଥିଲେ । ଯିବାବେଳେ ତାଙ୍କୁ ପଛରୁ ଦୁଇଜଣ ଯୁବକ ପିଛା କରୁଥିବା ସେ ଅନୁଭବ କରିଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ । ବ୍ୟାଙ୍କ ମଧ୍ୟରେ ଜଣେ ଯୁବକ ଗ୍ରାହକ ସାଜି ତାଙ୍କ ପଛରେ ଠିଆ ହୋଇଥିଲା । ସେ ଟଙ୍କା ଉଠାଇ ପାଖରେ ଥିବା ହ୍ୟାଣ୍ଡ୍‌ବ୍ୟାଗ୍‌ରେ ଟଙ୍କା ରଖି ଅପରାହ୍ଣ ୧.୦୪ ମିନିଟ୍‌ରେ ବ୍ୟାଙ୍କ ବାହାରକୁ ଆସିଥିଲେ । ଯୁବକ ଜଣଙ୍କ ମଧ୍ୟ ତାଙ୍କ ପଛରେ ଆସିଥିଲା ଏବଂ ତାଙ୍କ ଗାଡ଼ି କାଢ଼ିଲେ ସେ ଗାଡ଼ି କାଢ଼ିବ ବୋଲି ଶ୍ରୀ ବରାଳଙ୍କୁ କହିଥିଲା ।

କିଶୋର ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଡାହାଣ ହାତରେ ଧରି ନିଜ ପ୍ଲେଜର ସ୍କୁଟି ଡିକିରେ ରଖିବାକୁ ଗଲାବେଳେ ଯୁବକଟି ବ୍ୟାଗ୍‌କୁ ଝାମ୍ପିନେଇ ପୂର୍ବରୁ ବ୍ୟାଙ୍କ ବାହାରେ ପଲ୍‌ସର୍‌ରେ ପ୍ରସ୍ତୁତ ଥିବା ଅନ୍ୟଜଣେ ଯୁବକ ସହ ମୁକୁନ୍ଦପ୍ରସାଦ ଦିଗରେ ଫେରାର ହୋଇଯାଇଥିଲେ । ଏ ନେଇ କିଶୋର ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଏସ୍‌ପି ଅଜେୟ ପ୍ରତାପ ସ୍ୱାଇଁ, ଆଦର୍ଶ ଥାନାଧିକାରୀ ଉମାଶଙ୍କର ସିଂ, ଏସ୍‌ଆଇ ବିଜୟ କେତନ ବେହେରା ଓ ଅନୁଭା ଦାସ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କିଶୋରଙ୍କ ଅଭିଯୋଗକ୍ରମେ ଥାନାରେ ୩୫୪/୨୦ରେ ଏକ ମାମଲା ରୁଜୁ ହୋଇଛି । ତେବେ ବ୍ୟାଙ୍କର ସିସିଟିଭି ଫୁଟେଜ୍‌ରୁ ସନ୍ଦିଗ୍ଧଙ୍କ ଫଟୋ ପୁଲିସକୁ ମିଳିଛି । ବହୁ ଶୀଘ୍ର ଏହି ଲୁଟେରାମାନଙ୍କୁ ଧରାଯିବ ବୋଲି ଏସ୍‌ପି ଶ୍ରୀ ସ୍ୱାଇଁ କହିଛନ୍ତି ।